ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢ଼ି ବଢ଼ିବାରେ ଲାଗିଛି | ଏହା ଭିତରେ ରାଜ୍ୟ ସରକାର ଖାଲି ପଡ଼ିଥିବା ନିଜର ମୂଳ ପଦବୀଗୁଡ଼ିକୁ ଏପର୍ଯ୍ୟନ୍ତ ପୂରଣ କରିବାରେ ସକ୍ଷମ ହୋଇପାରିନାହାନ୍ତି । ଏପଟେ କିନ୍ତୁ ଅବସର ନେଉଥିବା କର୍ମଚାରୀମାନଙ୍କୁ ପୁନଃନିଯୁକ୍ତି ଦେଇ ବର୍ଷ ବର୍ଷ ଧରି କାମ କରିବାର ସୁଯୋଗ ଦେଉଛନ୍ତି। ତା’ପୁଣି ରାଜ୍ୟ ରାଜକୋଷ ପାଣ୍ଠିରେ । ବିଶେଷକରି ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ପାଲଟିଥିବା ‘ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ’ରେ ଏବେ ୧୮ଜଣ କର୍ମଚାରୀଙ୍କୁ ଅବସରପରେ ପୁନଃନିଯୁକ୍ତି ଦିଆଯାଇ ଏକପ୍ରକାର ଥଇଥାନ କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଚଳିତବର୍ଷ ଫେବୃୟାରୀ ୨୫ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପ୍ରାୟ ୭୨୮୮୯ଟି ପଦବୀ ଖାଲି ପଡ଼ିଥିବାବେଳେ ସେଥିରୁ ୪୯୪୨୪ଟି ପଦବୀ ପୂରଣ ନିମନ୍ତେ ସରକାରଙ୍କ ନିଯୁକ୍ତି ଏଜେନ୍ସୀ ମାଧ୍ୟମରେ ପ୍ରକ୍ରିୟା ଆରମ୍ଭ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ପ୍ରଶାସନିକ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଦୀର୍ଘ ବର୍ଷ ଧରି ଏତେ ସଂଖ୍ୟକ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ସରକାର ଏହାକୁ ପୂରଣ କରିବାରେ ଆଗ୍ରହ ନଦେଖାଇ ଗତ କିଛିବର୍ଷ ହେଲା ସରକାରୀ ଚାକିରିରୁ ଅବସର ନେଉଥିବା କର୍ମଚାରୀମାନଙ୍କୁ ପୁନଃନିଯୁକ୍ତି ଦେଇ ଅଧିକାଂଶ ବିଭାଗକୁ ଥଇଥାନର କେନ୍ଦ୍ର କରାଇଛନ୍ତି । ବିଶେଷକରି ଏବେ ‘ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ’ ହିଁ ପ୍ରମୁଖ ଥଇଥାନ କେନ୍ଦ୍ର ପାଲଟିଛି । ସେଠାରୁ ଅବସର ନେଉଥିବା କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯାଉଛି । ତେବେ ଏତେ ସଂଖ୍ୟକ କର୍ମଚାରୀଙ୍କୁ କାହିଁକି ସେଠାରେ ପୁନଃନିଯୁକ୍ତି ଦେଇ ଥଇଥାନ କରାଯାଉଛି ଓ ନୂଆ କର୍ମଚାରୀଙ୍କୁ ସେଠାରେ ନିଯୁକ୍ତି ମିଳୁନି ତାହା ରାଜ୍ୟ ଲୋକସେବା ଭବନର ଅନ୍ୟ କର୍ମଚାରୀମାନଙ୍କୁ ଅସନ୍ତୁଷ୍ଟ କରିଥିବା ଜଣାପଡ଼ିଛି ।
More Stories
‘ବିକଶିତ ଗାଁ,ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ….
ବସ୍ତି ଭିତରକୁ ପଶିଗଲା ମାଲଗାଡ଼ି ଟ୍ରେନ୍…..
୫ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..