ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥର କଣ୍ଟାପାଲି ଓଭରବ୍ରିଜ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ କାରକୁ ହାଇୱା ଧକ୍କା ଦେବାରୁ ୨ ଜଣ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିଲା। ଏହା ଦୁର୍ଘଟଣା ନୁହେଁ, ହତ୍ୟା ବୋଲି ନିଜେ ଆହତମାନେ କରିଛନ୍ତି । ଏହି ଘଟଣାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୁରେଶ ଛନ୍ଦ କହିଛନ୍ତି ଯେ ହାଇୱା ପ୍ରଥମେ ସେମାନଙ୍କ କାରର ଗୋଟିଏ ପାର୍ଶ୍ୱରେ ଧକ୍କା ଦେଇଥିଲା। ତା’ପରେ ୧୦୦/୧୫୦ ମିଟର ପରେ ପୁଣି ଥରେ ଧକ୍କା ଦେଇଥିଲା। ଏଥର କାର ପଛରେ ଧକ୍କା ଦେଇଥିଲା। ଏହା ପରେ ଆମର ଅନୁଭବ ହେଲା ଯେ କେହି ଆମକୁ ମାରିବାକୁ ଚାହୁଁଛନ୍ତି। ଏଣୁ ଆମେ କାରକୁ ଜାତୀୟ ରାଜପଥରୁ ଓହ୍ଲାଇ ଏକ କଚ୍ଚା ରାସ୍ତାକୁ ପଳାଇ ଯାଇଥିଲୁ। ସେହି ରାସ୍ତାରେ ଆମେ ପ୍ରାୟ ୩୦୦ ମିଟର ଯାଇଥିବା ବେଳେ ଉକ୍ତ ହାଇୱା ପୁଣି ଥରେ ଆସି ପଛ ପଟୁ ଧକ୍କା ଦେଇଥିଲା ଓ କାର ଓଲଟି ପଡ଼ିଥିଲା। ଦୁର୍ଘଟଣା ହୋଇଥିଲେ ଜଣେ ଥରେ ପିଟିଥା’ନ୍ତା। ଗୋଡ଼େଇ ଗୋଡ଼େଇ ତିନି ଥର କାହିଁକି ଧକ୍କା ଦେବ | ସେହିପରି ଆହତ ରାମ ନାରାୟଣ ପଣ୍ଡା କହିଛନ୍ତି, ମୁଁ ପଛ ସିଟ୍ରେ ବାମ ପାର୍ଶ୍ୱରେ ବସିଥିଲି। ଯେତେବେଳେ ହାଇୱା ପ୍ରଥମ ଥର ଧକ୍କା ଦେଲା, କାରକୁ ଟିକେ ସ୍ପୀଡ୍ରେ ନେବାକୁ ଆମେ ଡ୍ରାଇଭରଙ୍କୁ କହିଥିଲୁ। ଆମେ ଟିକେ ଆଗକୁ ଯିବା ପରେ ହାଇୱାଟି ଆମକୁ ପୁଣି ଧକ୍କା ଦେଇଥିଲା। ତିନି ଥର ସେ ଆମକୁ ଧକ୍କା ଦେଇଥିଲା। ଏହି ଘଟଣାରେ ୨ ଜଣ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଉଛନ୍ତି ଦଳର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆ। ଏହି ଦୁଇ ଜଣଙ୍କ ସହିତ ଆହତ ସୁରେଶ ଛନ୍ଦ ଓ ରାମ ନାରାୟଣ ପଣ୍ଡା କାରର ପଛ ସିଟ୍ରେ ବସିଥିଲେ। ସେମାନେ ଭୁବନେଶ୍ୱରରୁ ଟ୍ରେନ୍ରେ ସମ୍ବଲପୁର ଫେରିଥିଲେ। ସେଠାରୁ କାରରେ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା। ପୋଲିସ ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରିଛି। ପୋଲିସ ହାଇୱାକୁ ଜବତ କରିଛି। ତା’ ସହିତ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏସ୍ପି କହିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ ଉକ୍ତ ଦୁର୍ଘଟଣା ଘଟାଯାଇଛି। ହାଇୱା ଡ୍ରାଇଭର ଜାଣିଶୁଣି କାର୍କୁ ପିଟିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହେଉଛି। ଡ୍ରାଇଭରଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଛି। ପଚରାଉଚରା ସମୟରେ ସେ କଥା ବଦଳାଉଛନ୍ତି।ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ ଚାଲିଥିବା ବେଳେ ତାଙ୍କର କିଛି ସହଯୋଗୀଙ୍କୁ ପଚରାଉଚରା କରାଯାଇଛି। ଦୁର୍ଘଟଣା ସମୟରେ ହାଇୱାରେ ଡ୍ରାଇଭର ଏକା ଥିଲେ। ସନ୍ଧ୍ୟା ସୁଦ୍ଧା ରହସ୍ୟ ଖୋଲିବ ବୋଲି ଏସପି କହିଛନ୍ତି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……