Report Card Odisha

| Daily Odia News

ବନାଗ୍ନି ରୋକିବାକୁ ୩୩୪ ଅଗ୍ନି ସୁରକ୍ଷା ଦଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଖରା ବଢ଼ିବା ସହ ରାଜ୍ୟରେ ଜଙ୍ଗଲ ନିଆଁ ବୃଦ୍ଧି ପାଇଛି। ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ନିଆଁର ପ୍ରକୋପ ବଢ଼ୁଥିବାରୁ ତାହାକୁ ପ୍ରଶମିତ କରିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ବନାଗ୍ନି ଋତୁର ବହୁ ପୂର୍ବରୁ ନଭେମ୍ବର/ଡିସେମ୍ବର ମାସ ସୁଦ୍ଧା ପ୍ରତି ଜିଲ୍ଲାରେ ଜିଲ୍ଲା କାର୍ଯ୍ୟ ଯୋଜନା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତିଆରି କରାଯାଉଛି। ଫଳରେ ଦରକାର ବେଳେ ଅନ୍ୟ ବିଭାଗଗୁଡ଼ିକର ସହାୟତା ମିଳିପାରୁଛି। ଜଙ୍ଗଲ ଆଭ୍ୟନ୍ତରୀଣ ତଥା ସୀମାବର୍ତ୍ତୀ ଅଞ୍ଚଳରେ ଅଗ୍ନି ପ୍ରଶମନ ରେଖା ସୃଷ୍ଟି ହୋଇଛି। ବନଖଣ୍ଡ ଓ ରେଞ୍ଜସ୍ତରୀୟ ସଚେତନତା ଅଭିଯାନ, ବନ ସଚେତନତା କାର୍ଯ୍ୟକ୍ରମର ସୂଚନା, ବ୍ୟାନର ଓ ବିଜ୍ଞାପନକୁ ଠିକ୍‌ ସ୍ଥାନରେ ପ୍ରଦର୍ଶନ, ବନାଗ୍ନି ନିର୍ବାପନ ମକ୍‌ ଡ୍ରିଲ୍‌ ଆଦି ହେଉଛି। ବନାଗ୍ନି ଅବରୋଧକ ପ୍ରଶିକ୍ଷିତ ଦଳ ଗଠନ ଓ ବନାଗ୍ନି ନିର୍ବାପନ ନିମନ୍ତେ ଆବଶ୍ୟକ ପରିମାଣ ଅଗ୍ନି ନିର୍ବାପକ ବାହନ, ଅଗ୍ନି ନିର୍ବାପକ ଉପକରଣ, ଅଗ୍ନି ସୁରକ୍ଷା ଉପକରଣ ଆଦି ପ୍ରଦାନ କରାଯାଇଛି। ବନାଗ୍ନି ନିର୍ବାପନ ନିମନ୍ତେ ୩୩୪ଟି ଅଗ୍ନି ସୁରକ୍ଷା ଦଳ/ଫାୟାର ପ୍ରୋଟେକ୍‌ସନ ସ୍କ୍ୱାଡ୍‌ ଗଠନ ହୋଇଛି। ବନାଗ୍ନି ପ୍ରଶମନରେ ସକ୍ରିୟ ଭାଗିଦାରୀକୁ ଅନୁଭବ କରି ଆବଶ୍ୟକ ମୁତାବକ ବନ ସୁରକ୍ଷା ସମିତି (ଭିଏସ୍‌ଏସ୍‌)ର ସମ୍ପୃକ୍ତି ଅନୁଯାୟୀ ସହାୟତା ରାଶି ପ୍ରଦାନ କରାଯାଉଛି। ରିଅଲ୍‌ ଟାଇମ୍‌ ଆଧାରରେ ଆଲର୍ଟ ଚିହ୍ନଟ ଏବଂ ଏହାକୁ ପଠାଇବା ନିମନ୍ତେ ଗତବର୍ଷ ଶିମିଳିପାଳରେ ୫ଟି ଏଆଇ/ଏମ୍‌ଏଲ୍‌ କ୍ୟାମେରା ଲଗାଯାଇଛି। ରାଜ୍ୟ ମୁଖ୍ୟ ଦପ୍ତର ଓ ବନଖଣ୍ଡ ସ୍ତରରେ ବନାଗ୍ନି ପରିଚାଳନା ନିମନ୍ତେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ହୋଇଛି। ବନାଗ୍ନି ସଙ୍କେତ ଗ୍ରହଣ କରିବାକୁ ବନ ସର୍ବେକ୍ଷଣ ସଂସ୍ଥାର ୱେବସାଇଟ୍‌ ସହ କାର୍ଯ୍ୟାଳୟର ମୋବାଇଲ ନମ୍ବର ଓ ରେଞ୍ଜ, ସେକ୍ସନ, ବିଟ୍‌ସ୍ତରୀୟ କର୍ମଚାରୀଙ୍କ ମୋବାଇଲ ନମ୍ବର ପଞ୍ଜୀକୃତ କରାଯାଇଛି। ଡେରାଡୁନ୍‌ସ୍ଥିତ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଆଇ) ସମସ୍ତ ଫରେଷ୍ଟ ଫାୟାର ପଏଣ୍ଟକୁ ରାଜ୍ୟ ସହିତ ଯୋଗଯୋଗ କରୁଛନ୍ତି। ସମସ୍ତ ଫାୟାର ପଏଣ୍ଟଗୁଡ଼ିକ ସମ୍ପୃକ୍ତ କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା ଓଏଫ୍‌ଏମ୍‌ଏସ୍‌ ପୋର୍ଟାଲ ମାଧ୍ୟମରେ ତାଙ୍କର ମୋବାଇଲ ଆପରେ ଡାଉନଲୋଡ୍‌ କରାଯାଉଛି। ପଏଣ୍ଟ ଡାଉନଲୋଡ୍‌ କରିବା ପରେ ନିୟୋଜିତ ଜଙ୍ଗଲ ଅଧିକାରୀ ନିଆଁକୁ ଆୟତ୍ତ କରିଥାନ୍ତି ଏବଂ ଫଟୋଗ୍ରାଫ ସହିତ ସବିଶେଷ ତଥ୍ୟ ଓଏଫ୍‌ଏମ୍‌ଏସ୍‌ ପୋର୍ଟାଲରେ ଅପଲୋଡ୍‌ କରିଥାନ୍ତି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।

Breaking News