ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ କାଶ୍ମୀର କୁପୱାଡ଼ା ଜିଲ୍ଲାର ମଚ୍ଛିଲ ସେକ୍ଟର ସ୍ଥିତ ଏଲ୍ଓସି ନିକଟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୫ ଆତଙ୍କବାଦୀ ନିପାତ ହୋଇଛନ୍ତି। ପୋଲିସର ସୂଚନା ଅନୁଯାୟୀ ନିପାତ ହୋଇଥିବା ୫ ଆତଙ୍କବାଦୀ ଏଲ୍ଇଟି ଗୋଷ୍ଠୀର। ପାକ୍ ସେନା ସହଯୋଗରେ ଆତଙ୍କବାଦୀମାନେ ଏକ ବଡ଼ ଅନୁପ୍ରବେଶ ଉଦ୍ୟମ ଚଳାଇଥିବା ବେଳେ ସେନା ଏବଂ ପୋଲିସର ମିଳିତ ସର୍ଚ୍ଚ ଅପରେସନ୍ରେ ପ୍ରଥମେ ୨ ଆତଙ୍କବାଦୀ ନିପାତ ହୋଇଥିଲେ। ଏହାପରେ ବ୍ୟାପକ ତଲାସୀ ଆରମ୍ଭ ହୋଇଥିଲା ଏବଂ ଆଉ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅପରେସନ ଏବେ ବି ଜାରି ରହିଛି। ଜମ୍ମୁ କାଶ୍ମୀର ପୋଲିସ ଡିଜି ଦିଲବାଗ ସିଂହ କହିଛନ୍ତି, ଏଲ୍ଓସି ନିକଟରେ ଏବେ ବି ଆତଙ୍କବାଦୀଙ୍କ ୧୬ଟି ଲଞ୍ଚ୍ ପ୍ୟାଡ୍ କାର୍ଯ୍ୟକ୍ଷମ ଅଛି ଏବଂ ପାକିସ୍ତାନରୁ କାଶ୍ମୀରକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ଜାରି ରହିଛି। ଉଲ୍ଲେଖଯୋଗ୍ୟ, ଗତକାଲି ଶ୍ରୀନଗରରେ ୧୫ କର୍ପ୍ସ ମୁଖ୍ୟାଳୟରେ ସୁରକ୍ଷା ସଂସ୍ଥାର ଶୀର୍ଷ ଅଧିକାରୀମାନଙ୍କ ବୈଠକ ଥିଲା। ଏହି ବୈଠକରେ କାଶ୍ମୀରରେ ବିଦେଶୀ ଆତଙ୍କବାଦୀଙ୍କ ଭୂମିକା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। କାଶ୍ମୀରରେ ସ୍ଥାନୀୟ ଆତଙ୍କବାଦୀଙ୍କ ନିଯୁକ୍ତି ଅପେକ୍ଷା ବିଦେଶୀ ଆତଙ୍କବାଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଚଳିତ ବର୍ଷ କାଶ୍ମୀରରେ ୪୬ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩୭ ଜଣ ପାକିସ୍ତାନୀ ଏବଂ କେବଳ ୯ ଜଣ ସ୍ଥାନୀୟ । ୩୩ ବର୍ଷରେ ପ୍ରଥମ ଥର ପାଇଁ ବିଦେଶୀ ଆତଙ୍କବାଦୀ ନିପାତ ହେବା ୪ ଗୁଣା ବୃଦ୍ଧିପାଇଛି। କାଶ୍ମୀରରେ ଏବେ ୧୩୦ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧା ବିଦେଶୀ ଆତଙ୍କବାଦୀ ବୋଲି ଗୃହ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ ହୋଇଛି।






More Stories
ପୁଣିଥରେ ହେବ ମତଦାନ…..
ପଶ୍ଚିମବଙ୍ଗରୁ ବହିଷ୍କାର ହେବେ ଆଇପିଏସ୍ ଅଧିକାରୀ ଅଜୟ ପାଲ ଶର୍ମା…..
ଆଜି ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ…..