Report Card Odisha

| Daily Odia News

ସତସଙ୍ଗରେ ଦଳାଚକଟା, ୫୦ ରୁ ଅଧିକ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ ଆଜି

ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାର ରତିଭାନପୁରରେ ଏକ ସତ୍‌ସଙ୍ଗରେ ହୋଇଥିବା ଦଳାଚକଟାରେ ୫୦ ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି। ପ୍ରଥମେ ଏହି ଘଟଣାରେ ୨୩ ମହିଳାଙ୍କ ସମେତ ମୋଟ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ଆସିଥିଲା। ସେହିପରି ଏହି ଘଟଣାରେ ଶତାଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଆଜି ମାନବ ମଙ୍ଗଳ ମିଳନ ସଦଭାବନା ସଙ୍ଗମ କମିଟି ପକ୍ଷରୁ ଭଗବାନ ଶିବଙ୍କର ସତ୍‌ସଙ୍ଗର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷ ହେବା ପରେ ଭକ୍ତମାନେ ଯେତେବେଳେ ଘରକୁ ଫେରିଯିବାକୁ ବାହାରିଥିଲେ ସେତେବେଳେ ଦଳାଚକଟା ହୋଇଥିଲା। ସିକନ୍ଦରା ରାଓ ଥାନା ଅଧିକାରୀ ଆଶିଷ କୁମାର କହିଛନ୍ତି ଯେ ଅଧିକ ଭିଡ଼ ଯୋଗୁ ଦଳଚକଟା ହୋଇଥିବା ଜଣାପଡ଼ୁଛି। କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଏଠାରେ ବହୁତ ଭିଡ଼ ଜମି ଥିଲା। କାର୍ଯ୍ୟକ୍ରମ ଶେଷ ହେବା ପରେ ଆମେ ସମସ୍ତେ ଘରକୁ ଫେରିଯିବାକୁ ବାହାରିଥିଲୁ। ତେବେ ବାହାରିବା ସ୍ଥାନଟି ଖୁବ୍ ଛୋଟ ଥିଲା। ଆମେ ସେଠାରୁ ବାହାରିବାକୁ ଉଦ୍ୟମ କରୁଥିବା ବେଳେ ଠେଲାପେଲା ଆରମ୍ଭ ହୋଇଗଲା। ପରେ ଏହା ଦଳାଚକଟାର ରୂପ ନେଇଥିଲା। ଦଳାଚକଟା ବେଳେ କିଛି ଲୋକ ସେଥିରୁ ବର୍ତ୍ତିବାକୁ ଉଦ୍ୟମ କରି ରାସ୍ତାକଡ଼ରେ ଥିବା ଡ୍ରେନ୍‌ରେ ପଡ଼ି ଯାଇଥିଲେ। ସେତେବେଳେ ଆମେ ଜାଣିପାରିଲୁନି କ’ଣ କରିବୁ। ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି।

Breaking News