ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ଏକ କୋର୍ଟ ପରିସରରେ ଗ୍ୟାଙ୍ଗଷ୍ଟର ସଞ୍ଜୀବ ମାହେଶ୍ୱରୀ ଜେଭାଙ୍କୁ ହତ୍ୟା ମାମଲାରେ ୬ ପୋଲିସ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଛି। ଏହି ପୋଲିସ କର୍ମଚାରୀମାନେ ଗ୍ୟାଙ୍ଗଷ୍ଟର ଜେଭା ହାଜର ହେବା ସମୟରେ କୋର୍ଟ ପରିସରରେ ମୁତୟନ ହୋଇଥିଲେ। ମାତ୍ର ସେମାନଙ୍କ କାର୍ଯ୍ୟରେ ଅବହେଳା ଯୋଗୁ ଜେଭାଙ୍କ ମୃତ୍ୟୁ ଘଟିଥିବା ସେଣ୍ଟ୍ରାଲ ଲକ୍ଷ୍ନୌ ଡିସିପି ସୂଚନା ଦେଇଛନ୍ତି। ତେଣୁ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଗତ ବୁଧବାର ଜେଭା କୋର୍ଟରେ ହାଜର ହୋଇଥିବା ବେଳେ ଉକ୍ତ ସମୟରେ କୋର୍ଟ ପରିସରରେ ଓକିଲ ବେଶରେ ଥିବା ଜଣେ ବ୍ୟକ୍ତି ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଫଳରେ ଜେଭା ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ବଳରାମପୁର ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଗୁଳିକାଣ୍ଡ ସମୟରେ ୨ ପୋଲିସ କନଷ୍ଟେବଳ ଓ ଜଣେ ଶିଶୁ ବି ଆହତ ହୋଇଥିବା ଜଣାଯାଇଛି। ସେମାନଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜେଭାଙ୍କ ଉପରକୁ ୮ଟି ଗୁଳି ମାଡ଼ ହୋଇଥିବା ଜଣାପଡ଼ିଥିଲା। ସେଥି ମଧ୍ୟରୁ ୬ଟି ତାଙ୍କ ଛାତିରେ ବାଜିଥିବା ବେଳେ ୨ଟି ତାଙ୍କ ହାତରେ ବାଜିଥିଲା। ପୋଲିସ ଘଟଣାସ୍ଥଳରୁ ଅଭିଯୁକ୍ତ ବିଜୟ ଯାଦବଙ୍କୁ ଗିରଫ କରି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ଜଣାପଡିଛି |
More Stories
ତାମିଲନାଡୁରେ ଭୂସ୍ଖଳନ,୭ ମୃତ୍ୟୁ…..
୯ ହିନ୍ଦୁ ଗିରଫ କଲା ବାଂଲାଦେଶ ପୋଲିସ….
ମୋ ଘର ଦୂଆର ଏବଂ ଅଫିସ୍ ସବୁବେଳେ ଆପଣମାନଙ୍କ ପାଇଁ ଖୋଲା…..