Report Card Odisha

| Daily Odia News

ଜିଅନ୍ତା ଜଳିଗଲେ ୯ ଭାରତୀୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ମାଳଦ୍ବୀପର ରାଜଧାନୀ ମାଲେରେ ବିଦେଶୀ ଶ୍ରମଜୀବୀଙ୍କ ନିମନ୍ତେ ଥିବା ଛୋଟଧରଣର ଲଜିଙ୍ଗ୍‌ରେ ଅଗ୍ନିକାଣ୍ଡ ଘଟିଛି | ଫଳରେ ଅନ୍ୟୂନ ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ କେତେ ଜଣ ଆହତ ‌ହୋଇଥିବା ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି | ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଥିବା କୋଠାର ଉପର ମହଲାରୁ ଉଦ୍ଧାରକାରୀମାନେ ୧୦ଟି ଶବ ଉଦ୍ଧାର କରିଛନ୍ତି। ସେଥିରେ ୯ଜଣ ଭାରତୀୟଙ୍କ ଶବ ଥିବା କଥା ଜଣାପଡ଼ିଛି। ଲଜିଂର ତଳେ ଥିବା ଯାନବାହନ ମରାମତି ଗ୍ୟାରେଜ୍‌ରେ ପ୍ରଥମେ ନିଆଁ ଲାଗିଥିବା ଭଳି ଜଣାପଡୁଛି। ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଆମେ ୧୦ଟି ଶବ ଉଦ୍ଧାର କରିଛୁ। ନିଆଁ ଲିଭାଇବା ପାଇଁ ଆମକୁ ପ୍ରାୟ ୪ ଘଣ୍ଟା ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ମୃତ ଅନ୍ୟ ବ୍ୟକ୍ତିଜଣକ ବାଂଲାଦେଶର ଅଧିବାସୀ ବୋଲି ‘ଏଏଫ୍‌ପି’ ସରକାରୀ ଅଧିକାରୀଙ୍କ ସୂତ୍ରରୁ ଉଦ୍ଧାର କରି ରିପୋର୍ଟ କରିଛି। ପ୍ରାପ୍ତ ସୂଚନା ଅନୁସାରେ, ମାଲେର ୨୫୦,୦୦୦ ଜନସଂଖ୍ୟାର ଅର୍ଦ୍ଧେକ ବିଦେଶୀ ଶ୍ରମଜୀବୀ। ଶ୍ରମଜୀବୀମାନେ ମୁଖ୍ୟତଃ ବାଂଲାଦେଶ, ଭାରତ, ନେପାଳ, ପାକିସ୍ତାନ ଓ ଶ୍ରୀଲଙ୍କାରୁ ‌ଯାଇଛନ୍ତି। ସୂଚନାଯୋଗ୍ୟ, ବିଦେଶୀ ଶ୍ରମଜୀବୀମାନେ ଯେଭଳି ଦୟନୀୟ ଅବସ୍ଥାରେ ରହୁଛନ୍ତି ତାହା କୋଭିଡ୍‌ ମହାମାରୀ ସମୟରେ ଲୋକଲୋଚନକୁ ଆସିଥିଲା। ସେଥିପାଇଁ, ସ୍ଥାନୀୟ ବାସିନ୍ଦାମାନଙ୍କ ଅପେକ୍ଷା ୩ଗୁଣ ବେଗରେ ବିଦେଶୀ ଶ୍ରମଜୀବୀଙ୍କ ମଧ୍ୟରେ ସଂକ୍ରମଣ ବ୍ୟାପିଥିଲା। ବିଦେଶୀ ଶ୍ରମଜୀବୀମାନଙ୍କ ଜୀବନଯାବନ ବ୍ୟବସ୍ଥାକୁ ମାଳଦ୍ବୀପର ରାଜନୈତିକ ଦଳଗୁଡ଼ିକ ମଧ୍ୟ ସମାଲୋଚନା କରିଛନ୍ତି।

 

Breaking News