Report Card Odisha

| Daily Odia News

ମେୟର ନିର୍ବାଚନରେ ବିଜେପି ବିଜୟୀ, ବର୍ଷିଲେ କେଜ୍ରିୱାଲ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପି ବିଜୟୀ ହୋଇଛି । ବିରୋଧୀ ଆପ୍‌ ଓ କଂଗ୍ରେସ ପାଖରେ ୨୦ଟି ଭୋଟ ଥିଲା। କିନ୍ତୁ ପ୍ରିଜାଇଡିଂ ଅଫିସର ହଠାତ୍‌ ୮ଟି ଭୋଟକୁ ନାକଚ କରି ଦେଇଥିଲେ। ଫଳରେ ବିଜେପି ୧୬ଟି ଭୋଟ ପାଇ ମେୟର ନିର୍ବାଚନ ଜିତିଛି। ତେବେ ବିଜେପିର ବିଜୟକୁ ନେଇ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆପ୍‌ର ବରିଷ୍ଠ ନେତା ରାଘବ ଚଡ୍ଡା। ସେମାନେ ବିଜେପିକୁ ଅସାଧୁ ଦଳ ବୋଲି କହିଛନ୍ତି।ଲୋକସଭା ପୂର୍ବରୁ ପ୍ରଥମଥର ପାଇଁ ଆପ୍‌ ଓ କଂଗ୍ରେସ ମିଳିତ ଭାବେ ଇଣ୍ଡିଆ ମେଣ୍ଟ ଅଧୀନରେ ଚଣ୍ଡିଗଡ଼ ମେୟର ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଆପ୍‌ ଓ କଂଗ୍ରେସକୁ ହାରିବାକୁ ପଡ଼ିଛି। ବିଜେପିର ମନୋଜ ସୋନକର ୧୬ ଖଣ୍ଡ ଭୋଟ ପାଇ ମେୟର ନିର୍ବାଚନ ଜିତିଛନ୍ତି। ଏହାପରେ କେଜ୍ରିୱାଲ କହିଛନ୍ତି, “ଚଣ୍ଡିଗଡ଼ ମେୟର ନିର୍ବାଚନରେ ଯେଉଁଭଳି ଦିନ ଦ୍ୱିପ୍ରହରରେ ବେଇମାନୀ କରାଯାଇଛି, ତାହା ଅତ୍ୟନ୍ତ ଚିନ୍ତାର ବିଷୟ। ଯଦି ଗୋଟିଏ ମେୟର ନିର୍ବାଚନ ପାଇଁ ଏମାନେ ଏତେ ତଳକୁ ଖସି ପାରୁଛନ୍ତି, ତା’ହେଲେ ଦେଶର ନିର୍ବାଚନରେ ଏମାନେ କିଛି ବି କରିପାରନ୍ତି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ।” ମେୟର ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ରାଘବ ଚଡ୍ଡା ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଯେତେବେଳେ କୌଣସି ଭୋଟ ନାକଚ ହୁଏ ସେତେବେଳେ ପ୍ରିଜାଇଡିଂ ଅଫିସର ଏହାକୁ ସବୁ ଦଳର ଏଜେଣ୍ଟମାନଙ୍କୁ ଦେଖାଇ ଥାଆନ୍ତି। କିନ୍ତୁ ଆଜି ସେମିତି କିଛି ବି ହୋଇନି।ନିର୍ବାଚନ ଏଜେଣ୍ଟ କିମ୍ବା ଡେପୁଟି କମିଶନରଙ୍କୁ ବାଲଟ ପେପର ଦେଖିବାକୁ ଦିଆଯାଇନି। ଏକତରଫା ଭାବେ ଭୋଟକୁ ନାକଚ କରାଯାଇଛି। ଯଦି ସେମାନେ ମେୟର ନିର୍ବାଚନରେ ଏମିତି କରିପାରୁଛନ୍ତି, ତା’ହେଲେ ଲୋକସଭା ନିର୍ବାଚନରେ କ’ଣ ସବୁ କରିପାରିବେ ଥରେ ଚିନ୍ତା କରନ୍ତୁ।”

Breaking News