ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପାକିସ୍ତାନର ସ୍ବତନ୍ତ୍ର ଅଦାଲତ ପୂର୍ବତନ ପ୍ରଧାନନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଇମ୍ରାନ ଖାନଙ୍କ ସହ ତାଙ୍କ ଘନିଷ୍ଠ ସହଯୋଗୀ ତଥା ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସିଙ୍କୁ ମଧ୍ୟ ୧୦ ବର୍ଷର ଜେଲ୍ ଦଣ୍ଡାଦେଶ ହୋଇଛି । ଦେଶର ଗୋପନୀୟ ତଥ୍ୟ ଲିକ୍ କରିବା ମାମଲାରେ ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଇମ୍ରାନ ଖାନଙ୍କ ପାର୍ଟି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଅଧିନ ଗଠିତ ସ୍ୱତନ୍ତ୍ର ଅଦାଲତ ଗୋପନୀୟ ତଥ୍ୟ ଲିକ୍ କରିବା ମାମଲାରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏବେ ଇମ୍ରାନ ଖାନ(୭୧) ଏବଂ ଶାହ ମହମ୍ମଦ କ୍ୟୁରେସି(୬୭) ରାୱଲପିଣ୍ଡିର ଅଡ଼ିଆଲା ଜେଲରେ ଅଛନ୍ତି। ଜେଲ୍ରୁ ହିଁ ଉଭୟ ଶୁଣାଣିରେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ। ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଥିବା ସମୟରେ ଦେଶର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍ ହୋଇଥିଲା। ଆମେରିକାରେ ଥିବା ପାକିସ୍ତାନର ଦୂତାବାସ ପକ୍ଷରୁ ଗୁପ୍ତ ଭାବେ କିଛି ପ୍ରତିନିଧିଙ୍କୁ ଇସଲାମାବାଦ ପଠାଯାଇଥିଲା। ଇମ୍ରାନ ଜାଣିଶୁଣି ଏଭଳି କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଇମ୍ରାନ ଖାନଙ୍କୁ ପୁଲିସ ଗିରଫ କରିଥିଲା। ଏବେ ତାଙ୍କୁ ପାକିସ୍ତାନର ସ୍ବତନ୍ତ୍ର କୋର୍ଟ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।






More Stories
ରବର୍ଟ ଭଦ୍ରାଙ୍କୁ ଜାମିନ…..
ଆଣ୍ଡାମାନ ଛୁଇଁଲା ମୌସୁମୀ…..
ଦୀର୍ଘଦିନର “ଟାୱେଲ୍ ସଂସ୍କୃତି”କୁ ବନ୍ଦ କଲେ ବିଜୟ…..