Report Card Odisha

| Daily Odia News

ଚାର୍ଜଶିଟ ଦାଖଲ କରି ଅଭିଯୁକ୍ତଙ୍କୁ ଜାମିନ ଅଧିକାରରୁ ବଞ୍ଚିତ କରିପାରିବ ନାହିଁ:ସୁପ୍ରିମକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବାରମ୍ବାର ଚାର୍ଜଶିଟ ଦାଖଲ କରି ଜଣେ ଅଭିଯୁକ୍ତଙ୍କୁ ଜାମିନ ଅଧିକାରରୁ ବଞ୍ଚିତ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବାରମ୍ବାର ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରି ଜଣେ ଅଭିଯୁକ୍ତଙ୍କୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ଜେଲରେ ରଖାଯାଇ ପାରିବ ନାହିଁ। କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିର ଆଭିମୁଖ୍ୟ ସୁପ୍ରିମକୋର୍ଟଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଛି ବୋଲି ଜଷ୍ଟିସ ସଞ୍ଜୀବନ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ କହିଛନ୍ତି। ଜଷ୍ଟିସ ଖାନ୍ନା ଇଡି ପାଇଁ ଓକିଲାତି କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌ଭି ରାଜୁଙ୍କୁ କହିଛନ୍ତି, “ଜାମିନ ପାଇବାର ପୂରା ପ୍ରସଙ୍ଗ ହେଲା ଆପଣ ତଦନ୍ତ ନ ସରିବା ଯାଏ ଜଣେ ଅଭିଯୁକ୍ତଙ୍କୁ ଗିରଫ କରନ୍ତୁ ନାହିଁ। ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଆପଣ କହିପାରିବେ ନାହିଁ ଯେ ତଦନ୍ତ ଶେଷ ନ ହେବା ଯାଏ ଶୁଣାଣି ଆରମ୍ଭ ହେବନି। ଆପଣ ବାରମ୍ବାର ଏମିତି ଅତିରିକ୍ତ ଚାର୍ଜଶିଟ ଦାଖଲ କରିପାରିବେ ନାହିଁ। ଆପଣ ଚାର୍ଜଶିଟ ଦାଖଲ କରି ବିନା ଶୁଣାଣିରେ ଅଭିଯୁକ୍ତଙ୍କୁ ଜେଲରେ ରଖି ପାରିବେ ନାହିଁ। ଏହି ମାମଲାରେ ଜଣେ ବ୍ୟକ୍ତି ୧୮ ମାସରୁ ଅଧିକ ସମୟ ହେଲା ଜେଲରେ ରହିଛନ୍ତି। ଏହା ଆମକୁ ଚିନ୍ତିତ କରୁଛି। କିଛି ମାମଲା ଆମ ପାଖକୁ ଆସୁଛି ଓ ଆମେ ମଧ୍ୟ ଆପଣଙ୍କୁ ନୋଟିସ ପଠାଉଛୁ। ଆପଣ ଗିରଫ କରିବା ମାତ୍ରେ ମାମଲାର ଶୁଣାଣି ପାଇଁ ପ୍ରକ୍ରିୟା ଆରମ୍ଭ କରନ୍ତୁ।” ବର୍ତ୍ତମାନ ପ୍ରଚଳିତ ନିୟମ ଅନୁଯାୟୀ, ଯଦି ତଦନ୍ତକାରୀ ସଂସ୍ଥା ଧାର୍ଯ୍ୟ ସମୟ ମଧ୍ୟରେ ତଦନ୍ତ ଶେଷ କରିବ ନାହିଁ କିମ୍ବା ଚୂଡ଼ାନ୍ତ ଚାର୍ଜଶିଟ ଦାଖଲ କରିପାରବ ନାହିଁ, ତା’ହେଲେ ଗିରଫ ବ୍ୟକ୍ତି ଜାମିନ ପାଇପାରିବେ। ତଦନ୍ତ ଶେଷ କରିବା ପାଇଁ ୬୦ରୁ ୯୦ ଦିନର ସମୟ ରହିଛି। ଏପ୍ରିଲ ମାସରେ ମଧ୍ୟ ସୁପ୍ରିମକୋର୍ଟ ସମାନ କଥା କହିଥିଲେ। ଜଷ୍ଟି କୃଷ୍ଣ ମୁରଲୀ ଓ ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠ କହିଥିଲେ ଯେ ତଦନ୍ତ ଶେଷ ନ କରି କୌଣସି ତଦନ୍ତକାରୀ ସଂସ୍ଥା ଗୋଟିଏ ଚାର୍ଜଶିଟ ଦାଖଲ କରିପାରିବ ନାହିଁ। ଏପରି ଚାର୍ଜଶିଟ ଦାଖଲ କରି ଅଭିଯୁକ୍ତଙ୍କୁ ତାଙ୍କର ଜାମିନ ପାଇବା ଅଧିକାରରୁ ବଞ୍ଚିତ କରାଯାଇ ପାରିବନି। ସୁପ୍ରିମକୋର୍ଟଙ୍କ ଏପରି କଥା ଦୀର୍ଘ ଦିନ ହେଲା ଇଡି ଓ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ରାଜନୀତିକ ଦଳର ନେତାମାନଙ୍କ ପାଇଁ ବହୁତ ବଡ଼ ଖବର।ଝାରଖଣ୍ଡର ବେଆଇନ ଖଣି ଖନନ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଶାଣି ବେଳେ ସୁପ୍ରିମକୋର୍ଟ ଆଜି ଏପରି କହିଛନ୍ତି।

Breaking News