ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ୯ଥର ଏହି ମାମଲା ପାଇଁ ପଚରାଉଚରା କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ ପଠାଇଥିଲେ ବି ହାଜର ହୋଇନଥିଲେ କେଜ୍ରିୱାଲ। ଏଥିପାଇଁ ଗୁରୁବାର ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଗିରଫ ପରେ ସମାଜସେବୀ ଆନ୍ନା ହାଜାରେ ଏକ ବଡ଼ ବିବୃତି ଦେଇଛନ୍ତି। ଆନ୍ନା ହାଜାରେ କହିଛନ୍ତି ଯେ, ସେ ମୋ କଥା ଶୁଣି ନ ଥିବାରୁ ମୁଁ ଦୁଃଖିତ। ତାଙ୍କ କହିବା ମୁତାବକ, କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହେବା ପରେ ମୁଁ ନୂତନ ଅବକାରୀ ନୀତି ସମ୍ପର୍କରେ ତାଙ୍କୁ ଦୁଇଥର ଚିଠି ଲେଖିଥିଲି। ମୁଁ ଦୁଃଖିତ ଯେ ସେ ମୋ କଥା ଶୁଣି ନଥିଲେ ଏବଂ ବର୍ତ୍ତମାନ ଏଥିପାଇଁ ତାଙ୍କୁ ଗିରଫ କରାଯାଇଛି। ଯେତେବେଳେ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ ଆମ ସହ ଯୋଗ ଦେଇଥିଲେ, ମୁଁ କହିଥିଲି ଯେ ସେମାନେ ଦେଶର କଲ୍ୟାଣ ପାଇଁ ସର୍ବଦା କାର୍ଯ୍ୟ କରିବା ଉଚିତ୍। କିନ୍ତୁ କ୍ଷମତାକୁ ଆସିବା ପରେ ସେ ଏହାକୁ ଧ୍ୟାନରେ ରଖି ନଥିଲେ। ବର୍ତ୍ତମାନ ମୁଁ ତାଙ୍କୁ କୌଣସି ପରାମର୍ଶ ଦେବି ନାହିଁ। ଆଇନ ଏବଂ ସରକାର ଯାହା କରିବାର କଥା କରିବେ। ମୁଁ କେଜ୍ରିୱାଲଙ୍କୁ ବହୁତ ବୁଝାଇଥିଲି। ଏବେ ତାଙ୍କ ଅବସ୍ଥା ଦେଖି ଦୁଃଖ ହେଉନାହିଁ।






More Stories
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..
ପଞ୍ଚାୟତ ଅଫିସ୍କୁ ସ୍ଥାନାନ୍ତର ହେବ ପୋଷ୍ଟ ଅଫିସ୍……