ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନ୍ୟାୟପାଳିକାର ସ୍ବାଧୀନତା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ନ୍ୟାୟପାଳିକା ଉପରେ ଚାପ ପକାଇବା ଏବଂ ଅଦାଲତକୁ ବଦନାମ କରିବା ପାଇଁ ଏକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଚେଷ୍ଟା କରୁଛି ବୋଲି ଦେଶର ଶତାଧିକ ଆଇନଜୀବୀ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିବାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ଗୁରୁବାର କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ କହିଛନ୍ତି, ‘ଅନ୍ୟମାନଙ୍କୁ ଧମକାଇବା କଂଗ୍ରେସର ଏକ ପୁରୁଣା ସଂସ୍କୃତି। ୫ ଦଶନ୍ଧି ପୂର୍ବେ ସେମାନେ ଏକ ‘ପ୍ରତିଶ୍ରୁତିବଦ୍ଧ ନ୍ୟାୟପାଳିକା’ ପାଇଁ ଆହ୍ୱାନ ଦେଇଥିଲେ। ସେମାନେ ନିଜ ସ୍ୱାର୍ଥ ପାଇଁ ନ୍ୟାୟପାଳିକାଠାରୁ ପ୍ରତିବଦ୍ଧତା ଚାହୁଛନ୍ତି କିନ୍ତୁ ଦେଶ ପ୍ରତି ସେମାନଙ୍କର କୌଣସି ପ୍ରତିବଦ୍ଧତା ନାହିଁ। ଏହା ଆଦୌ ଆଶ୍ଚର୍ଯ୍ୟ ନୁହେଁ ଯେ ୧୪୦ କୋଟି ଭାରତୀୟ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି।’ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ମନ୍ତବ୍ୟ ଉପରେ କଂଗ୍ରେସ ନେତୃତ୍ୱ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିଛି। ଦଳର ବରିଷ୍ଠ ନେତା ଜୟରାମ ରମେଶ ଏକ୍ସରେ କହିଛନ୍ତି ଯେ ନ୍ୟାୟପାଳିକାକୁ ରକ୍ଷା କରିବା ନାଁରେ ନ୍ୟାୟପାଳିକା ଉପରେ ଆକ୍ରମଣ କରିବା ଏବଂ ଏଭଳି ଆକ୍ରମଣକୁ ପ୍ରୋତ୍ସାହନ ଦେବା କାମ ପ୍ରଧାନମନ୍ତ୍ରୀ କରୁଛନ୍ତି। ଏହା ପ୍ରବଞ୍ଚନାର ଚରମ ସୀମା। ଗତ କିଛି ସପ୍ତାହ ମଧ୍ୟରେ ସୁପ୍ରିମ୍କୋର୍ଟରେ ସରକାରକୁ ବଡ଼ ଝଟ୍କା ମିଳିଛି। ସରକାରଙ୍କ ନିର୍ବାଚନୀ ବଣ୍ଡ୍କୁ ସୁପ୍ରିମ୍ କୋର୍ଟ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ଏହା ଭୟ, ବ୍ଲାକମେଲ୍ ଏବଂ ଧମକ ଦେବାର ଏକ ଖୋଲା ଅସ୍ତ୍ର ଥିଲା ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ଏମ୍ଏସପିକୁ ଆଇନଗତ ଗ୍ୟାରେଣ୍ଟି ଦେବା ପରିବର୍ତ୍ତେ ଦୁର୍ନୀତିକୁ ଗ୍ୟାରେଣ୍ଟି ଦେଇଛନ୍ତି। ବିଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଯାହା କରିଛନ୍ତି ତାହା ହେଉଛି ବିଭାଜନ, ବିଭ୍ରାଟ ଏବଂ ଅପଖ୍ୟାତି। ଖୁବ୍ ଶୀଘ୍ର ତାଙ୍କୁ ଉଚିତ ଜବାବ ଦେବାକୁ ୧୪୦ କୋଟି ଭାରତୀୟ ଅପେକ୍ଷା କରିଛନ୍ତି ବୋଲି ରମେଶ କହିଛନ୍ତି।






More Stories
ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ମୋଦୀଙ୍କ ପ୍ରଶଂସା…..
ରନ୍ଓ୍ବେରେ ୨ ବିମାନ ମୁହାଁମୁହିଁ…..
ବଳାତ୍କାର ପରେ ହତ୍ୟା ମାମଲା: ଅଭିଯୁକ୍ତ ଏନକାଉଣ୍ଟରରେ ନିହତ…..