Report Card Odisha

| Daily Odia News

ନୋଟାକୁ ମିଳିଛି ୨,୦୦,୦୦୦ରୁ ଅଧିକ ଭୋଟ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଧ୍ୟପ୍ରଦେଶର ଇନ୍ଦୋର ଲୋକସଭା ନିର୍ବାଚନରେ ନୋଟା (ନନ୍ ଅଫ୍ ଦ ଏବଭ୍)କୁ ୨,୦୨,୨୧୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ଶଙ୍କର ଲାଲଵାନୀ ୧୧,୬୦,୬୨୭ ଖଣ୍ଡ ଭୋଟ୍ ପାଇଛନ୍ତି। ଅର୍ଥାତ୍ ବିଜେତା ବିଜେପି ପ୍ରାର୍ଥୀଙ୍କ ପରେ ଦ୍ବିତୀୟ ସ୍ଥାନରେ ରହିଛି ନୋଟା। ଗତ ଏପ୍ରିଲ ୨୯ ତାରିଖରେ ଇନ୍ଦୋର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଥିବା ଅକ୍ଷୟ କାନ୍ତି ବାମ ବିଜେପି ମନ୍ତ୍ରୀ କୈଳାସ ବିଜୟବର୍ଗୀୟ ଓ ସାଂସଦ ରମେଶ ମେଣ୍ଡୋଲାଙ୍କ ସହ ଇନ୍ଦୋର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନିଜର ନାମାଙ୍କନପତ୍ର ପ୍ରତ୍ୟାହାର କରିବା ପରେ କଂଗ୍ରେସ ଲୋକଙ୍କୁ ନୋଟାକୁ ଭୋଟ୍ ଦେବାକୁ କହିଥିଲା। ପରବର୍ତ୍ତୀ ସମୟରେ ବାମ ବିଜେପିରେ ଯୋଗ ଦେଇଥିଲେ। ନିର୍ବାଚନ ମଇଦାନରେ ଥିବା କୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରିବା ପରିବର୍ତ୍ତେ ମଧ୍ୟପ୍ରଦେଶ କଂଗ୍ରେସ ନୋଟା ପାଇଁ ପ୍ରଚାର କରିବାକୁ ନିଷ୍ପତ୍ତି ନେଇଥିଲା। ନୋଟା ଭୋଟରମାନଙ୍କୁ ଗୋଟିଏ ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିବାର ବିକଳ୍ପ ଦେଇଥାଏ। କଂଗ୍ରେସ ରାଜ୍ୟ ସଭାପତି ଜିତୁ ପଟୱାରୀ ନୋଟାକୁ ସମର୍ଥନ କରିଥିବାରୁ ଲୋକଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଯେ ଗଣତନ୍ତ୍ରକୁ ଭାଙ୍ଗିବା ପାଇଁ ଅର୍ଥବଳ ଓ ଲୋକବଳକୁ ବ୍ୟବହାର କରୁଥିବା ବିଜେପିକୁ ଲୋକେ କଡ଼ା ଜବାବ ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ଶଙ୍କର ଲାଲୱାନିଙ୍କୁ ୭୮.୯୯% ଭୋଟ୍ ମିଳିଥିବା ବେଳେ ନୋଟାକୁ ୧୩.୬୨% ଭୋଟ୍ ମିଳିଛି। ବହୁଜନ ସମାଜ ପାର୍ଟିର ସଞ୍ଜୟଙ୍କୁ ୪୯,୨୭୭ ଭୋଟ୍ ମିଳିଛି, ଯାହା କି ତୃତୀୟ ସର୍ବାଧିକ ଭୋଟ୍ (୩.୨୯%) ଅଟେ।

Breaking News