Report Card Odisha

| Daily Odia News

ଦିଲ୍ଲୀରେ ୩ ଛାତ୍ରଙ୍କ ମୃତ୍ୟୁ ନେଇ ତମ୍ବିତୋଫାନ: ତଦନ୍ତ ଜାରି, ମାଲିକ ଗିରଫ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗର ଅଞ୍ଚଳରେ ଥିବା ରାଓ ଆଇଏଏସ୍ ଷ୍ଟଡି ସର୍କଲର ବେସ୍‌ମେଣ୍ଟ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ନର୍ଦ୍ଦମା ଜଳରେ ବୁଡ଼ିଯିବାରୁ ୩ ଜଣ ଛାତ୍ରଙ୍କ ମୃତ୍ୟୁକୁ ନେଇ ତମ୍ବି ତୋଫାନ ସୃଷ୍ଟି ହୋଇଛି। କୋଚିଂ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ପାଠାଗାର ଭାବେ ବ୍ୟବହୃତ ହେଉଥିବା ବେସ୍‌ମେଣ୍ଟରେ ନର୍ଦ୍ଦମା ଫାଟି ପାଣି କେମିତି ପହଞ୍ଚିଲା ସେ ନେଇ ପୋଲିସ ତଦନ୍ତ ଚଳାଇଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ମାଟିଠାରୁ ପ୍ରାୟ ୮ ଫୁଟ ତଳେ ଥିବା ଏହି ବେସ୍‌ମେଣ୍ଟରେ ଶନିବାର ସନ୍ଧ୍ୟାରେ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପ୍ରବଳ ବର୍ଷା ଯୋଗୁଁ କୋଚିଂ ସେଣ୍ଟରର ଗେଟ୍ ବନ୍ଦ ହୋଇଯାଇଥିଲା ଏବଂ ଅତି ତୀବ୍ର ଗତିରେ ବେସ୍‌ମେଣ୍ଟରେ ବନ୍ୟା ଜଳ ପଶି ଏହା ଭର୍ତ୍ତି ହୋଇଯାଇଥିଲା। ବର୍ଷା ପାଣି ରାସ୍ତାରେ ଭର୍ତ୍ତି ହେବା ସହ ଏକ ବଡ଼ ଡ୍ରେନେଜ ପାଇପ ଏହି ଚାପରେ ଫାଟିଯାଇଥିଲା। ପାଣି ଭର୍ତ୍ତି ହୋଇଯିବାରୁ ବେସ୍‌ମେଣ୍ଟରେ ଛାତ୍ରଛାତ୍ରୀମାନେ ଫସି ଯାଇଥିଲେ ଏବଂ ଏଥିରେ ଦୁଇ ଜଣ ଛାତ୍ରୀ ଏବଂ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ରବିବାର କୋଚିଂ ସେଣ୍ଟର ମାଲିକ ଓ ସଂଯୋଜକଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ହୋଇଛି। ବେସ୍‌ମେଣ୍ଟରେ ବୁଡ଼ିଯାଇ ପ୍ରାଣ ହରାଇଥିବା ଛାତ୍ରମାନେ ହେଲେ ସିଭିଲ ସର୍ଭିସ୍‌ ଆଶାୟୀ ତାନିଆ ସୋନି, ଶ୍ରେୟା ଯାଦବ ଓ ନବୀନ ଡାଲୱିନ୍। ଗତକାଲି ଅନ୍ୟଏକ ଘଟଣାରେ ଜଳବନ୍ଦୀ ଯୋଗୁଁ ବିଦ୍ୟୁତ୍ ଆଘାତରେ ଅନ୍ୟ ଜଣେ ସିଭିଲ ସର୍ଭିସ ଆଶାୟୀଙ୍କ ମଧ୍ୟ ମୃତ୍ୟୁ ଘଟିଥିବାରୁ ସାଧାରଣରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ରବିବାର ଦୁଇଟି ପୃଥକ ଘଟଣାରେ ଜାତୀୟ ରାଜଧାନୀରେ ୪ ଜଣ ସିଭିଲ୍ ସର୍ଭିସ୍ ଆଶାୟୀଙ୍କ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଦିଲ୍ଲୀ ମହାନଗର ନିଗମର ଆପରାଧିକ ଅବହେଳା ପାଇଁ ଏଭଳି ଘଟଣା ଘଟିଥିବାରୁ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉପରାଜ୍ୟପାଳ କହିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ମେୟର ଶେଲି ଓବରୟ ସହରରେ ଅସୁରକ୍ଷିତ ଭାବେ ଚାଲିଥିବା ସମସ୍ତ କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଏଭଳି କୋଚିଂ ସେଣ୍ଟର ବିଲ୍ଡିଂ ବାଇ-ଲ’ର ଉଲ୍ଲଂଘନ କରୁଛି ଏବଂ ନିୟମ ଅନୁଯାୟୀ ସୁରକ୍ଷା ପ୍ରଦାନ କରିପାରୁନାହିଁ। ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି ଯେ ରାଓ କୋଚିଂ ସେଣ୍ଟରକୁ ଏନ୍‌ଓସି ପ୍ରଦାନ କରାଯାଇଥିଲା ଏବଂ ସ୍ପଷ୍ଟ କରାଯାଇଥିଲା ଯେ ବେସମେଣ୍ଟକୁ କେବଳ ଷ୍ଟୋରେଜ୍ ପାଇଁ ବ୍ୟବହାର କରାଯିବ। ତେବେ ଏହାକୁ ଏକ ପାଠାଗାର ଭାବେ ବ୍ୟବହାର କରାଯାଉଥିଲା, ଯେଉଁଠାରେ ଛାତ୍ରଛାତ୍ରୀମାନେ ସନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ଅଧ୍ୟାୟନ କରୁଥିଲେ। ପୂର୍ବରୁ ଦିଲ୍ଲୀର କୋଚିଂ ଅନୁଷ୍ଠାନଗୁଡ଼ିକୁ ଅଗ୍ନି ସୁରକ୍ଷା ବାବଦରେ ଏନ୍ଓସି ନେବାକୁ ପଡ଼ୁନଥିବା ବେଳେ ଗତବର୍ଷଠାରୁ ଏ ବାବଦ ଆଇନରେ ପରିବର୍ତ୍ତନ ଅଣାଯାଇଛି ଏବଂ ସୁରକ୍ଷା ନିୟମ କଡ଼ାକଡ଼ି ହୋଇଛି । ରାଓ ଆଇଏଏସ୍‌ କୋଚିଂ ସଂସ୍ଥା ମାଲିକ ଅଭିଷେକ ଗୁପ୍ତା ଓ ସଂଯୋଜକ ଦେଶପାଲ ସିଂହଙ୍କୁ ଆପରାଧିକ ଅବହେଳା ଅଭିଯୋଗରେ ଗିରଫ କରାଯାଇଛି। ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ)ର ଧାରା ୧୦୫ (ଅନିଚ୍ଛାକୃତ ହତ୍ୟା), ୧୦୬(୧) (କୌଣସି ବେପରୁଆ କିମ୍ବା ଅବହେଳା ଜନିତ କାର୍ଯ୍ୟ ଯୋଗୁଁ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ), ୧୧୫(୨) (ସ୍ବେଚ୍ଛାକୃତ ଭାବେ କ୍ଷତି ପହଞ୍ଚାଇବା ପାଇଁ ଦଣ୍ଡ) ଏବଂ ୨୯୦ (କୋଠା ମରାମତି କିମ୍ବା ନିର୍ମାଣ କ୍ଷେତ୍ରରେ ଅବହେଳା ଆଚରଣ)ରେ ମାମଲା ରୁଜୁ କରି ତଦନ୍ତ ତ୍ବରାନ୍ବିତ କରାଯାିଛି।

Breaking News