Report Card Odisha

| Daily Odia News

୧୫ରୁ କୋଣାର୍କ ଇକୋ ରିଟ୍ରିଟ୍‌…..

ରିପୋର୍ଟ କାର୍ଡ / ପୁରୀ

ଡିସେମ୍ବର ୧୫ରୁ କୋଣାର୍କ ମେରାଇନ ରୋଡ୍‌ ସଂଲଗ୍ନ ବେଳାଭୂମିରେ ଆରମ୍ଭ ହେବ ଇକୋ ରିଟ୍ରିଟ୍‌। ଜଳକ୍ରୀଡ଼ା, ବିଚ୍‌ ସ୍ପୋର୍ଟସ ତଥା ବେଳାଭୂମି କ୍ରୀଡ଼ା, ଇନ୍‌ଡୋର ଗେମ୍‌ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଅବକାଶ ପାଇବେ ପର୍ଯ୍ୟଟକ। ୩ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକ ସମୁଦ୍ର କୂଳରେ ବିଳାସପୂର୍ଣ୍ଣ ଟେଣ୍ଟରେ ଅବସର କାଟିବା ସହ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇବେ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଇକୋ ରିଟ୍ରିଟ୍‌ ଆୟୋଜନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପର୍ଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ ଓ ଇ-ଫ୍ୟାକ୍ଟରର ମିଳିତ ସହଯୋଗରେ ପର୍ଯ୍ୟଟକଙ୍କ ପାଇଁ ଏଭଳି ଏକ ନିଆରା ଭେଟି ପ୍ରସ୍ତୁତ କରାଯିବ। ଏହି ସମୟ ମଧ୍ୟରେ ଉକ୍ତ ଅଞ୍ଚଳକୁ ଆକର୍ଷଣୀୟ କରିବା ସହିତ ସମସ୍ତ ସୁବିଧା ଯୋଗାଇ ଦେବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଚନ୍ଦ୍ରଭାଗାଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ରାସ୍ତା ଆଲୋକୀକରଣ କରାଯିବ। ୨୪ ଘଣ୍ଟିଆ ଲାଇଫଗାର୍ଡ ବ୍ୟବସ୍ଥା ସହ ପାର୍କିଂ ଏବଂ ସୁରକ୍ଷା ବ୍ୟବସ୍ଥା କରାଯିବ। ଡିସେମ୍ବର ୧ ତାରିଖରୁ ଏନେଇ ପ୍ରସ୍ତୁତି ଆରମ୍ଭ ହେବ। ଭିତ୍ତିଭୂମି କାର୍ଯ୍ୟ ସହ ବିଭିନ୍ନ ବିଭାଗ ଏନେଇ ସେବା ଯୋଗାଇ ଦେବାର ପ୍ରକ୍ରିୟା ଆରମ୍ଭ କରିବେ। ପୂର୍ବ ବର୍ଷର ଅଭିଜ୍ଞତା ଆଧାରରେ ଏଥରର ଇକୋ ରିଟ୍ରିଟ୍‌କୁ ଆହୁରି ପର୍ଯ୍ୟଟକ ଅନୁକୂଳ କରିବା ସହ ପର୍ଯ୍ୟଟକମାନେ ଯେପରି ସୁଖଦ ଅନୁଭବ ନେଇ ଲେଉଟିବେ ସେନେଇ ଗୁରୁତ୍ବ ଦେବାକୁ ଜିଲ୍ଳାପାଳ ଶ୍ରୀ ସ୍ବାଇଁ ପରାମର୍ଶ ଦେଇଛନ୍ତି। ପର୍ଯ୍ୟଟନ ସହକାରୀ ନିର୍ଦେଶକ ସରୋଜକାନ୍ତ ପ୍ରଧାନ କହିଛନ୍ତି, ଇକୋ ରିଟ୍ରିଟ୍‌ ଧୀରେଧୀରେ ପର୍ଯ୍ୟଟକଙ୍କ ପ୍ରିୟଭାଜନ ହେବାରେ ଲାଗିଛି। ପର୍ଯ୍ୟଟକମାନେ ନିଆରା ଅନୁଭବ ନେବାକୁ ଚାହୁଁଥିବା ବେଳେ ଇକୋ ରିଟ୍ରିଟ ସେହିଭଳି ଅନୁକୂଳ ପରିବେଶ ଭେଟି ଦେଉଥିବାରୁ ଚାହିଦା ବୃଦ୍ଧି ପାଉଛି। ଏନେଇ ବୁକିଂ ଆରମ୍ଭ ହୋଇଯାଇଛି। ଅନ୍‌ଲାଇନ୍‌ରେ ଓଡ଼ିଶା ଇକୋ ରିଟ୍ରିଟ୍‌ ସାଇଟ୍‌କୁ ଯାଇ ପର୍ଯ୍ୟଟକମାନେ ବୁକିଂ କରିପାରିବେ ବୋଲି ସେ କହିଛନ୍ତି।

Breaking News