Report Card Odisha

| Daily Odia News

ନସ୍‌ରଲ୍ଲା ପରେ ନୂଆ ମୁଖିଆ ବି ନିପାତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇରାନ୍‌ର ପ୍ରକ୍ସି ସାମରିକ ତଥା ଆତଙ୍କୀ ସଂଗଠନ ହେଜବୁଲ୍ଲା ଉପରେ ଆଉ ଏକ ବଜ୍ରପାତ କରିଛି ଇସ୍ରାଏଲ। ହେଜବୁଲ୍ଲା ମୁଖ୍ୟ ହସନ ନସ୍‌ରଲ୍ଲାର ଉତ୍ତରାଧିକାରୀ ହାସେମ ସଫିଦିନ ମଧ୍ୟ ଇସ୍ରାଏଲ ଆକ୍ରମଣରେ ନିପାତ ହୋଇଛି ବୋଲି କୁହାଯାଇଛି। ଇସ୍ରାଏଲ ବାୟୁସେନାର ବୋମାମାଡ଼ରେ ହେଜବୁଲ୍ଲାର ଏକ ପ୍ରମୁଖ ଆଡ଼ା ଗତକାଲି ଧ୍ବସ୍ତ ହୋଇଥିଲା ଏବଂ ସେଠାରେ ସଫିଦ୍ଦିନ ନିହତ ହୋଇଥିବା କେତେକ ସୂତ୍ରରୁ ଜଣାପଡ଼ିଛି। ସଫିଦ୍ଦିନ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ରହିଥିବା ବେଳେ ଏୟାର ଷ୍ଟ୍ରାଇକରେ ତାକୁ ଟାର୍ଗେଟ କରାଯିବା ସଫଳ ହୋଇଛି ବୋଲି ଇସ୍ରାଏଲ କହିଛି। ତେବେ ହେଜବୁଲ୍ଲା କିମ୍ବା ଇରାନ ପକ୍ଷରୁ ଏ ନେଇ କୌଣସି ବିବୃତି ଜାରି ହୋଇନାହିଁ। ସୂଚନାଯୋଗ୍ୟ, ଇରାନ ସମର୍ଥିତ ହେଜବୁଲ୍ଲାକୁ ମୂଳପୋଛ କରିବା ପାଇଁ ଦୁଇ ସପ୍ତାହ ହେଲା ଇସ୍ରାଏଲ ଭୀଷଣ କାର୍ଯ୍ୟାନୁଷ୍ଠାନ ଚଳାଇଛି। ଗତକାଲି ଭୋର୍‌ ସମୟରେ ବେରୁତର ଦକ୍ଷିଣରେ ଏକ ସହରତଳି ଅଂଚଳରେ ବଡ଼ ଧରଣର ଆକ୍ରମଣ ହୋଇଥିଲା। ଏକ ଭୂତଳ ବଙ୍କରରେ ହାସେମ ସଫିଦିନକୁ ଟାର୍ଗେଟ କରାଯାଇଥିଲା ଏବଂ ଏଥିରେ ସେ ନିହତ ହୋଇଛି ବୋଲି କେତେକ ଇସ୍ରାଏଲୀ ଅଧିକାରୀ କହିଛନ୍ତି। ଏହି ଆକ୍ରମଣରେ ହେଜବୁଲ୍ଲାର ଗୁଇନ୍ଦା ମୁଖ୍ୟାଳୟ ମଧ୍ୟ ଧ୍ବଂସ ହୋଇଛି। ନସରଲ୍ଲାର ଉତ୍ତରାଧିକାରୀ ଏଭଳି ଭାବେ ନିହତ ହେବା ଏହାର ପୃଷ୍ଠପୋଷକ ଇରାନ ପାଇଁ ଆଉ ଏକ ବଡ଼ ଝଟକା ହୋଇଥିବା ବେଳେ ହେଜବୁଲ୍ଲାକୁ ଏବେ ଅସ୍ତ୍ର ଯୋଗାଣରେ ମଧ୍ୟ ଇରାନ ସକ୍ଷମ ହୋଇପାରୁନଥିବା ଜଣାପଡ଼ିଛି। ଇସ୍ରାଏଲର ଚେତାବନୀ ପରେ ଇରାନରୁ ଅସ୍ତ୍ରଶସ୍ତ୍ର ନେଇ ଲେବାନନ୍‌ ଆସୁଥିବା ଏକ ପରିବହନ ବିମାନ ପୁଣି ଇରାନ ପ୍ରତ୍ୟାବର୍ତ୍ତନ କରିଛି।

Breaking News