Report Card Odisha

| Daily Odia News

କରୱାଚୌଥ୍‌ରେ ସ୍ବାମୀଙ୍କୁ ହତ୍ୟାକଲା ସ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସ୍ବାମୀଙ୍କ ଦୀର୍ଘଜୀବନ କାମନା କରି ମହିଳାମାନେ କରୱାଚୌଥ ବ୍ରତ ପାଳନ କରିଥାନ୍ତି। ତେବେ ଉତ୍ତର ପ୍ରଦେଶର କୌଶାମ୍ବି ଜିଲ୍ଲା ଅନ୍ତର୍ଗତ ଇସମାଇଲପୁର ଗ୍ରାମରେ ଜଣେ ମହିଳା ବ୍ରତ ଶେଷ ହେବାପରେ ସ୍ବାମୀଙ୍କୁ ବିଷ ଦେଇ ହତ୍ୟା କରିଥିବା ଜଣାପଡିଛି। ସବିତା ନାମ୍ନୀ ଏହି ମହିଳା ଜଣକ ରବିବାର କରୱାଚୌଥ୍‌ ବ୍ରତ ପାଳନ କରିଥିଲେ। ଏହି କାର୍ଯ୍ୟରେ ସ୍ବାମୀ ଶୈଳେଶ ମଧ୍ୟ ତାଙ୍କୁ ଆବଶ୍ୟକ ସହଯୋଗ କରିଥିଲେ। ସନ୍ଧ୍ୟାରେ ଚନ୍ଦ୍ର ଦର୍ଶନ କରିବା ପରେ ବ୍ରତ ଶେଷ ହୋଇଥିଲା ଏବଂ ସବିତା ଉପବାସ ଭଙ୍ଗ କରିଥିଲେ। ଏହା ପରେ କୌଣସି କାରଣକୁ ନେଇ ସବିତା ଓ ଶୈଳେଶଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ପରିସ୍ଥିତି ଶାନ୍ତ ପଡିବା ପରେ ଉଭୟ ଏକାଠି ରାତ୍ରୀଭୋଜନ କରିଥିଲେ। ଖାଇବା ପରେ ପଡୋଶୀ ଘରୁ କିଛି ଜିନିଷ ଆଣିବାକୁ ସବିତା ସ୍ବାମୀଙ୍କୁ ପଠାଇବା ସହ ଘରୁ ଚମ୍ପଟ ମାରିଥିଲେ। ପଡୋଶୀଙ୍କ ଘରେ ଶୈଳେଶ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ବିଷାକ୍ତ ଖାଦ୍ୟ ଖାଇଥିବାରୁ ଶୈଳେଶ ପ୍ରାଣ ହରାଇଥିବା ଡାକ୍ତର କହିଥିଲେ। ମୃତକଙ୍କ ପରିବାର ଲୋକଙ୍କ ଏତଲାକୁ ଆଧାର କରି ପୋଲିସ ସବିତାଙ୍କୁ ଗିରଫ କରିଛି। ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବାରୁ ସ୍ବାମୀଙ୍କୁ ବିଷ ଦେଇ ହତ୍ୟା କରିଛନ୍ତି ବୋଲି ସବିତା ପୋଲିସକୁ ବୟାନ ଦେଇଛନ୍ତି।

Breaking News