ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ଦାନା। ଭୀଷଣ ରୂପ ଧାରଣ କରି ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ସାମୁଦ୍ରିକ ଝଡ଼। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ତାହା ଲ୍ୟାଣ୍ଡଫଲ୍ କରିବ । ମାତ୍ର ଲ୍ୟାଣ୍ଡଫଲ୍ ପରେ ଏହାର ଗତିପଥ ସାମାନ୍ୟ ରିକର୍ଭ ହୋଇପାରେ। ଆଜି ଏପରି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ମନୋରମା ମହାନ୍ତି କହିଛନ୍ତି, ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ‘ଦାନା’ ଏବେ ପାରାଦୀପଠାରୁ ୨୬୦ କିଲୋମିଟର ଦକ୍ଷିଣ ପୂର୍ବ ଓ ଧାମରାରୁ ୨୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ, ସାଗର ଦ୍ୱୀପଠାରୁ ୩୫୦ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି। ଏହା ବର୍ତ୍ତମାନ ଉତ୍ତର- ପଶ୍ଚିମ ଦିଗକୁ ଗତି କରୁଛି। ଗତ ୬ ଘଣ୍ଟା ଧରି ବାତ୍ୟା ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି। ପୂର୍ବରୁ ପୁରୀ ଏବଂ ପଶ୍ଚିମବଙ୍ଗର ସାଗରଦୀପ ମଧ୍ୟରେ ବାତ୍ୟାର ପ୍ରଭାବ ରହିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ବାତ୍ୟା ପଶ୍ଚିମବଙ୍ଗ ଯିବ ନାହିଁ। ଉପପୂଳ ଏବଂ ଉତ୍ତର ଓଡ଼ିଶା ମଧ୍ୟରେ ସ୍ଥଳଭାଗ ଛୁଇଁବା ପରେ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାକୁ ମୁହାଁଇବ। ଯାହାଫଳରେ ଉତ୍ତର ଓଡ଼ିଶା ପରେ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ଆଭ୍ୟନ୍ତରୀଣ ଓଡ଼ିଶାର କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ, ଅନୁଗୁଳ, ଯାଜପୁର ଏବଂ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲାରେ ବାତ୍ୟାର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..