ରିପୋର୍ଟ କାର୍ଡ / ଭୁବନେଶ୍ବର
ମଧ୍ୟରାତ୍ରରେ ମାଡ଼ ହେଲା ବାତ୍ୟା ଦାନା। ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କଲା ସ୍ଥଳଭାଗ। ରାତି ୧୨ଟା ୫ରୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା। ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ଦାନା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା ସ୍ଥଳଭାଗ। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ। ଫଳରେ ଟଳିପଡ଼ିଥିଲା ଅନେକ ଗଛ। ଭାଙ୍ଗି ଯାଇଥିଲା ଚାଳ ଛପର ଘର। ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଏହା ଧାମରାଠାରୁ ଉତ୍ତରକୁ ୧୫ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଆଜି ପୂର୍ବାହ୍ନରେ ଦୂର୍ବଳ ହେବ ଦାନା। ବାତ୍ୟା ପ୍ରଭାବରେ ଭିତରକନିକା, ଧାମରା, କେନ୍ଦ୍ରାପଡ଼ାର ପେଣ୍ଠ ସମେତ ବିଭିନ୍ନ ଅଞ୍ଚଳରେ ଚାଳଛପର ଘର ସହ ଅନେକ ଆଜବେଷ୍ଟସ ଘର ନଷ୍ଟ ହୋଇଛି।ଏବେ କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଲାଗିରହିଛି ବର୍ଷା। ତା’ ସହ କୋହଲା ପବନ ବହୁଛି। ଗଛ ପଡ଼ି ବିଭିନ୍ନ ସ୍ଥାନରେ ଅବରୋଧ ହୋଇଥିଲା ରାସ୍ତାଘାଟ। ତେବେ ସବୁଠି ତୁରନ୍ତ ପହଞ୍ଚି ରାତି ତମାମ ଗଛଗୁଡ଼ିକୁ କାଟି ରାସ୍ତା ଅବରୋଧ ହଟାଇଛି ଅଗ୍ନିଶମ ଟିମ୍। ଏଭଳି ଭାବେ ୪ଟି ଜିଲ୍ଲା- ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ବାତ୍ୟା ତାଣ୍ଡବ ରଚିଛି | ବାତ୍ୟା ‘ଦାନା’ର ପ୍ରଭାବରେ ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଆଜି ପାଇଁ ରାଜ୍ୟର ୯ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି- ଅନୁଗୋଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ଢେଙ୍କାନାଳ ଓ ପୁରୀ। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ବୌଦ୍ଧ, ସୋନପୁର ଓ ନୟାଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ମଧ୍ୟ ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ପ୍ରବେଶ ନ କରିବାକୁ ପରାମର୍ଶ ଦିଆଯାଇଛି।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..