ରିପୋର୍ଟ କାର୍ଡ / ଭୁବନେଶ୍ୱର
ପିସିସି ସଭାପତି ମନୋନୟନ ନେଇ ପ୍ରଦେଶ କଂଗ୍ରେସ ନେତାଙ୍କ ପାଖରୁ ମତାମତ ଲୋଡିବେ ଛତିଶଗଡ କଂଗ୍ରେସ ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ ଏବଂ ତାଙ୍କୁ ସହାୟତା କରିବା ପାଇଁ ଏଆଇସିସି ଦ୍ବାରା ନିଯୁକ୍ତ ମୀନାକ୍ଷୀ ନଟରାଜନ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଚରଣ ଦାସ ରାୟପୁରରୁ ଏବଂ ମୀନାକ୍ଷୀ ଦିଲ୍ଲୀରୁ ବିମାନ ଯୋଗେ ଆଜି ଭୁବନେଶ୍ବର ଆସିବା କାର୍ଯ୍ୟକ୍ରମ ରହିଛି। ଉଭୟ ନେତା ମଧ୍ୟାହ୍ନରେ କଂଗ୍ରେସ ଭବନରେ ପ୍ରଥମେ ଷ୍ଟିୟରିଂ କମିଟି ସଦସ୍ୟଙ୍କୁ ନେଇ ବୈଠକ କରିବେ। ପରେ ଷ୍ଟିୟରିଂ କମିଟି ସଦସ୍ୟଙ୍କ ପାଖରୁ ଜଣ ଜଣ କରି ପିସିସି ସଭାପତି ମନୋନୟନ ସଂକ୍ରାନ୍ତରେ ମତାମତ ଲୋଡିବେ। ଏହାପରେ କଂଗ୍ରେସ ବିଧାୟକ,ବିଧାୟକ ପ୍ରାର୍ଥୀ, ସାଂସଦ, ସାଂସଦ ପ୍ରାର୍ଥୀ, ଜିଲ୍ଲା ସଭାପତି ଏବଂ ବ୍ଲକସ୍ତରୀୟ ନେତାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ପିସିସି ସଭାପତି ଘୋଷଣା ପୂର୍ବରୁ ତାଲିକାରେ ଥିବା ଆଶାୟୀମାନେ ନିଜ ନିଜ ସମର୍ଥନ ଯୋଗାଡରେ ଲାଗି ପଡିଛନ୍ତି। କିଏ ଜିଲା ସଭାପତିଙ୍କୁ ଫୋନ କରି ନିଜ ସପକ୍ଷରେ ମତାମତ ଦେବାକୁ କହୁଛନ୍ତି ତ ଆଉ କିଏ ବ୍ଲକସ୍ତରୀୟ ନେତାଙ୍କୁ ନିଜ ସପକ୍ଷରେ ଟାଣିବାକୁ ଯୋଗାଯୋଗରେ ଅଛନ୍ତି। ଦୁଇଦିନ ହେଲା ପୂର୍ବତନ ବିଧାୟକ ମହମ୍ମଦ ମୋକିମ ବନ୍ଧୁ ମିଳନ କରୁଛନ୍ତି। ଶନିବାର ସନ୍ଧ୍ୟାରେ ଭୁବନେଶ୍ବର ଜିଲ୍ଲା ସଭାପତିଙ୍କ ସହ ଛାମୁଆ ନେତାଙ୍କୁ ନେଇ ବନ୍ଧୁ ମିଳିନ ହୋଇଥିଲା। ଅନୁରୂପ ଭାବେ ରବିବାର ସନ୍ଧ୍ୟାରେ ଯୁବ କଂଗ୍ରେସ ଏବଂ ଛାତ୍ର କଂଗ୍ରେସ ନେତା ଏବଂ ସମସ୍ତ ସକ୍ରିୟ ସଦସ୍ୟଙ୍କୁ ନେଇ ବନ୍ଧୁ ମିଳନ ହୋଇଥିବା ବେଳେ ଏଥିରେ ମୋକିମ ଉପସ୍ଥିତ ଥିଲେ। ଯୁବ କଂଗ୍ରେସ ଏବଂ ଛାତ୍ର କଂଗ୍ରେସ ସଦସ୍ୟମାନେ ମୋକିମଙ୍କୁ ପିସିସି ସଭାପତି କରିବା ଦିଗରେ ଆଲୋଚନା କରିଥିବା ଜଣାପଡିଛି।






More Stories
ଆଜି ପୂର୍ବାଞ୍ଚଳ କୃଷି ସମ୍ମିଳନୀ……
ରୁପା ଆମଦାନୀ ଉପରେ କଟକଣା……
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..