Report Card Odisha

| Daily Odia News

ସୁରକ୍ଷା ବାହିନୀର ଗୁଳିରେ ୩ ନକ୍ସଲ ନିହତ…..

ରିପୋର୍ଟ କାର୍ଡ / ନୂଆପଡ଼ା

ସୁରକ୍ଷା ବାହିନୀର ଗୁଳିରେ ୩ ଜଣ ନକ୍ସଲ ନିହତ ହେଇଛନ୍ତି । ସିଆରପିଏଫ୍‌ ଯବାନଙ୍କ ସହିତ ଓଡ଼ିଶା ପୋଲିସ ଓ ଛତିଶଗଡ଼ ପୋଲିସର ମିଳିତ ଉଦ୍ୟମରେ ହୋଇଥିବା ଅପରେସନ୍‌ ବଳରେ ନକ୍ସଲମାନେ ନିହତ ହୋଇଥିବା ଜଣାପଡ଼ିଛି। ଓଡ଼ିଶାର ନୂଆପଡ଼ା ଓ ଛତିଶଗଡ଼ର ଗରିଆବନ୍ଧ ସୀମାନ୍ତ ଜଙ୍ଗଲରେ ସୁରକ୍ଷା ବାହିନୀକୁ ଏହି ବଡ଼ ସଫଳତା ମିଳିଛି। ସୂଚନା ଅନୁସାରେ ଗରିଆବନ୍ଧ ଓ ନୂଆପଡ଼ା ସୀମାନ୍ତ ଜଙ୍ଗଲରେ ନକ୍ସଲ ଗତିବିଧି ନେଇ ସୁରକ୍ଷା ବାହିନୀର ଯବାନମାନେ ଅପରେସନ୍‌ ଆରମ୍ଭ କରିଥିଲେ। ଏହି ଅପରେସନ୍‌ ପାଇଁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌)କୁ ଓଡ଼ିଶାର ସ୍ପୋଶାଲ ଅପରେସନ୍‌ ଗ୍ରୁପ୍‌ (ଏସ୍‌ଓଜି) ଓ ଛତିଶଗଡ଼ ସ୍ପେଶାଲ ଫୋର୍ସ ସହଯୋଗ କରିଥିଲେ। ଏହି ଅପରେସନ୍‌ ଜାନୁଆରି ୨-୩ ତାରିଖ ମଧ୍ୟରାତ୍ରୀ ଠାରୁ ଆରମ୍ଭ ହୋଇଥିଲା। ଆଜି ପୂର୍ବାହ୍ଣ ପ୍ରାୟ ୧୧ ଟାରେ ସୁରକ୍ଷାବାହିନୀର ଯବାନମାନେ ନକ୍ସଲଙ୍କ ସହିତ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା।ରିପୋର୍ଟ ଲେଖାଯିବା ବେଳକୁ ୩ ଜଣ ନକ୍ସଲଙ୍କ ମୃତଦେହ ଠାବ ହୋଇଛି। ଏଥି ସହିତ ୫ଟି ମାରଣାସ୍ତ୍ର ଜବତ ହୋଇଛି। ନକ୍ସଲଙ୍କ ବିରୋଧରେ ସୁରକ୍ଷା ବାହିନୀର ଏହା ଏକ ବଡ଼ ବିଜୟ ବୋଲି କୁହାଯାଉଛି। ଏହି ଅପରେସନ୍‌ରେ ମୋଟ୍‌ ୧୨ଟି ଟିମ୍‌ ନିୟୋଜିତ ଥିଲେ। ୫ଟି ଏସ୍‌ଓଜି, ଛତିଶଗଡ଼ ଇ-୩୦ର ୪ଟି ଟିମ୍‌ ଓ ସିଆରପିଏଫ୍‌ ବାଟାଲିଅନ୍‌-୬୫ର ୩ଟି ଟିମ୍‌ ସାମିଲ ଥିଲେ। ଛତିଶଗଡ଼ର ଇଣ୍ଡାଗାଓ ଥାନା ଅଧୀନ ଅତଙ୍ଗ ଜଙ୍ଗଲରେ ଏହି ଏନ୍‌କାଉଣ୍ଟର ହୋଇଥିଲା, ଯାହାକି ନୂଆପଡ଼ା ସୀମାରୁ ମାତ୍ର ୮କିମି ଥିଲା। ରିପୋର୍ଟ ଲେଖାଯିବା ବେଳକୁ ସୁରକ୍ଷା ବାହିନୀର ସର୍ଚ୍ଚ‌ଅପରେସନ୍‌ ଜାରି ରହିଛି। ନିହତ ନକ୍ସଲଙ୍କ ସଂଖା ବଢ଼ିପାରେ ବୋଲି ଆଶା କରାଯାଉଛି।

Breaking News