ରିପୋର୍ଟ କାର୍ଡ / କଟକ
ଗତମାସରେ ପ୍ରଣବ ପ୍ରକାଶ ଦାସ ଓସିଏର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଉପସଭାପତି ଥିବା ପଙ୍କଜ ଲୋଚନ ମହାନ୍ତି ଏବେ କାମଚଳା ସଭାପତି ଅଛନ୍ତି। ହେଲେ ଫେବୃଆରୀ ୨୩ରେ ହେବାକୁ ଥିବା ନିର୍ବାଚନରେ ପଙ୍କଜ ସଭାପତି ନିର୍ବାଚିତ ହେବା ନିଶ୍ଚିତ ବୋଲି ଜଣାପଡ଼ିଛି। ପଙ୍କଜ ଗତଥର ଓସିଏର ସଭାପତି ଥିଲେ ଏବଂ ସୁଚାରୁରୂପେ ଦାୟିତ୍ବ ସମ୍ପାଦନ କରିଥିଲେ। ତେବେ ପ୍ରଣବ ପ୍ରକାଶଙ୍କ ଆବିର୍ଭାବ ପରେ ପଙ୍କଜ ଲୋଚନ ଗତ ନିର୍ବାଚନରେ ଉପସଭାପତି ନିର୍ବାଚିତ ହୋଇଥିଲେ। ଓସିଏର ଆସନ୍ତା ନିର୍ବାଚନ ହେବାକୁ ୭-୮ ମାସ ବାକିଥିବାରୁ ଏହି ସମୟରେ ପଙ୍କଜ ଲୋଚନ ମହାନ୍ତି ଓସିଏର ସର୍ବୋଚ୍ଚ ପଦବୀରେ ରହିବେ। ବିସିସିଆଇର ନିୟମ ଅନୁସାରେ, କୌଣସି ସଂଘରେ ଖାଲି ଥିବା ପଦ ପୂରଣ ପାଇଁ ୪୫ ଦିନ ମଧ୍ୟରେ ନିର୍ବାଚନ କରିବା ଉଚିତ। ତେବେ ଫେବୃଆରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ଖେଳାଯିବାର ଥିବାରୁ ଓସିଏର ଅନୁରୋଧରେ ନିର୍ବାଚନ ବା ଏଜିଏମ୍କୁ ଫେବୃଆରୀ ୨୩କୁ ଘୁଞ୍ଚାଇ ଦିଆଯାଇଛି। ଏଥିପାଇଁ ଓସିଏ ଅନୁବନ୍ଧିତ ଜିଲା, କ୍ଲବ୍, ସ୍କୁଲ୍, କଲେଜ୍, ସଂଗଠନକୁ ନିର୍ବାଚନରେ ଭାଗନେବା ପାଇଁ ନିର୍ବାଚନ ଅଧିକାରୀ ଏମ୍.ଏଲ୍. ମଜୁମଦାର ପତ୍ର ଜରିଆରେ ନାମ ମାଗିଛନ୍ତି। ଫେବୃଆରୀ ୧୨ରେ ନାମାଙ୍କନ କରାଯିବ।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……