Report Card Odisha

| Daily Odia News

ଦିଲ୍ଲୀ ଆସୁଥିବା ପାଣିରେ ହରିୟାଣା ସରକାର ବିଷ ମିଶାଉଛନ୍ତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଆପ୍‌ ସୁପ୍ରିମୋ ଅରବିନ୍ଦ‌ କେଜ୍ରିୱାଲ ସୋମବାର ଏକ ବଡ଼ ଅଭିଯୋଗ କରି କହିଛନ୍ତି ଯେ ହରିୟାଣାରୁ ଦିଲ୍ଲୀ ଆସୁଥିବା ଜଳରେ ବିଜେପି ବିଷ ମିଶାଉଛି। କେଜ୍ରିୱାଲ କହିଛନ୍ତି, ଦେଶ ଏଯାବତ୍‌ ଏଭଳି ହୀନ ରାଜନୀତି କେବେ ଦେଖିନଥିଲା। ଯଦି ଦିଲ୍ଲୀ ଲୋକମାନେ ବିଜେପି ପାଇଁ ଭୋଟ୍‌ ଦେବେନି ତା ମାନେ କ’ଣ ଆପଣ ଦିଲ୍ଲୀ ଲୋକଙ୍କୁ ପାଣିରେ ବିଷ‌ ମିଶାଇ ମାରିବେ। ହରିୟାଣାର ବିଜେପି ସରକାର ଦିଲ୍ଲୀ ଆସୁଥିବା ଜଳରେ ବିଷ ମିଶାଉଛନ୍ତି ବୋଲି କେଜ୍ରିୱାଲ ଦାବି କରିଛନ୍ତି। ତେବେ ସେ ଦିଲ୍ଲୀ ବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଯେପର୍ଯ୍ୟନ୍ତ କେଜ୍ରିୱାଲ ଅଛନ୍ତି ‌ସେପର୍ଯ୍ୟନ୍ତ ଦିଲ୍ଲୀ ବାସିନ୍ଦାଙ୍କର କୌଣସି କ୍ଷତି ହେବନାହିଁ।

ହରିୟାଣାରୁ ଦିଲ୍ଲୀକୁ ଯୋଗାଣ କରାଯାଉଥିବା ଜଳରେ ଉଚ୍ଚ ଆମୋନିଆ ସ୍ତର ରହିଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା ନିର୍ବାଚନ କମିସନ୍‌ (ଇସି) ସେ ସଂକ୍ରାନ୍ତରେ ହରିୟାଣା ସରକାରଙ୍କଠାରୁ ଜବାବ ମାଗିଛନ୍ତି। ମଙ୍ଗଳବାର ଅପରାହ୍ନ ସୁଦ୍ଧା ହରିୟାଣା ସରକାର ଉକ୍ତ ଅଭିଯୋଗ ଉପରେ ତଥ୍ୟ ସମ୍ବଳିତ ରିପୋର୍ଟ ଦାଖଲ କରିବାପାଇଁ କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଶାସିତ ହରିୟାଣା ସରକାର ଜାଣିଶୁଣି ଯମୁନା ନଦୀକୁ ବିଷାକ୍ତ କରୁଛନ୍ତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଆଜି ନିର୍ବାଚନ କମିସନ୍‌ଙ୍କୁ ‌ଭେଟି ଅଭିଯୋଗ କରିଛନ୍ତି। କେଜ୍ରିୱାଲ କହିଛନ୍ତି, ଜଳ ବୋର୍ଡ ଇଞ୍ଜିନିୟରମାନେ ସମସ୍ୟା ଚିହ୍ନଟ କରି ସୀମା ନିକଟରେ ଜଳକୁ ଅଟକାଇଛନ୍ତି। ଯଦି ଏହି ଜଳ ଦିଲ୍ଲୀ ଆସିଥାନ୍ତା ଏବଂ ପାନୀୟ ଜଳ ସହ ମିଶିଥାନ୍ତା ତେବେ ଦିଲ୍ଲୀରେ କେତେ ଲୋକ ମରିଥାନ୍ତେ ତାର ହିସାବ ରହିନଥାନ୍ତା। ଏହା ଗଣହତ୍ୟା ହୋଇଥାନ୍ତା। କେଜ୍ରିୱାଲ କହିଛନ୍ତି, ଏହା ଏଭଳି ଏକ ବିଷ ଯାହାକୁ ଜଳ ଚିକିତ୍ସା କେନ୍ଦ୍ର ବି ଚିହ୍ନଟ କରିପାରିନି। ଏହି କାରଣ ପାଇଁ ଦିଲ୍ଲୀରେ ଜଳ ସଙ୍କଟ ଦେଖାଦେଉଛି। କେଜ୍ରିୱାଲ କହିଛନ୍ତି, ମୁଁ ଆଶା କରୁଛି ଯେ ନିର୍ବାଚନ କମିସନ୍‌ ଏଥିରେ ହସ୍ତ‌କ୍ଷେପ କରିବେ ଏବଂ ଦିଲ୍ଲୀର ଲୋକମାନଙ୍କୁ ଏହି ବିପଦରୁ ସୁରକ୍ଷା ଦେବେ। ତେବେ କେଜ୍ରିୱାଲଙ୍କ ମନ୍ତବ୍ୟ ଉପରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି କହିଛନ୍ତି, ଅଭିଯୋଗ କରିବା କେଜ୍ରିୱାଲଙ୍କ ଅଭ୍ୟାସ। କେଜ୍ରିୱାଲ ଦିଲ୍ଲୀର ମୁଖ୍ୟ ସଚିବଙ୍କୁ ପଠାନ୍ତୁ, ମୁଁ ମୋ ମୁଖ୍ୟ ସଚିବଙ୍କୁ ସୋନିପତ ପଠାଉଛି। ଉଭୟ ସେଠାରେ ଜଳର ମାନ ପରୀକ୍ଷା କରିବେ ଯେଉଁଠାରୁ ଜଳ ଦିଲ୍ଲୀ ଯାଉଛି।

Breaking News