ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାକୁମ୍ଭ ମେଳାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ଅପରାହ୍ନରେ ମହାକୁମ୍ଭର ସେକ୍ଟର-୨୨ ନିକଟରେ ନିଆଁ ଲାଗିବା ହେତୁ ଅନେକ ପଣ୍ଡାଲ ଜଳି ଯାଇଛି। ସୌଭାଗ୍ୟବଶତଃ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରି ନେଇଛନ୍ତି। ଖବର ଲେଖାହେଲା ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ପାରି ନାହିଁ। ତେବେ ନିଆଁ ଲାଗିବା ପରେ ଟେଣ୍ଟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। କଳେବଳେକୌଶଳେ କର୍ମଚାରୀମାନେ ଅଗ୍ନିକାଣ୍ଡସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଆୟତ୍ତ ହେଲା ବେଳକୁ ୧୫ଟି ଟେଣ୍ଟ ଜଳି ପାଉଁଶ ହୋଇଯାଇଥିଲା । ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କାହାକୁ କିଛି କ୍ଷତି ପହଞ୍ଚି ନାହିଁ ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ପ୍ରମୋଦ ଶର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି। ଏହି ଅଗ୍ନିକାଣ୍ଡ ପୂର୍ବରୁ ଦୁଇଥର କୁମ୍ଭମେଳାରେ ଅଗ୍ନିକାଣ୍ଡ ଘଟିବାର ଖବର ମିଳିଛି। କିଛି ଦିନ ତଳେ ସେକ୍ଟର-୨ରେ ଦୁଇଟି କାରରେ ନିଆଁ ଲାଗିବା ହେତୁ ଅଗ୍ନିକାଣ୍ଡ ଘଟିଥିଲା। ସେହିପରି ଗତ ଜାନୁଆରି ୧୯ ତାରିଖରେ ମହାକୁମ୍ଭ ମେଳାର ସେକ୍ଟର-୧୯ର ଏକ ଶିବିରରେ ରଖା ଯାଇଥିବା ଘାସରେ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ୧୮ଟି ଟେଣ୍ଟ ଜଳି ପାଉଁଶ ହୋଇଯାଇଥିଲା।






More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଓଏଏସ୍ ସ୍ତରରେ ଅଦଳବଦଳ…..