Report Card Odisha

| Daily Odia News

ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଲେ ୮ ବିଧାୟକ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନିର୍ବାଚନ ପୂର୍ବରୁ ଆପ୍‌ରୁ ଇସ୍ତଫା ଦେଇଥିବା ୮ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଓ ଦିଲ୍ଲୀ ଶାଖା ସଭାପତି ବୀରେନ୍ଦ୍ର ସଚଦେବାଙ୍କ ଉପସ୍ଥିତିରେ ଏହି ବିଧାୟକମାନେ ଦଳରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେଇଥିବା ଏହି ବିଧାୟକମାନେ ହେଉଛନ୍ତି- ନରେଶ ଯାଦବ,ରୋହିତ କୁମାର ମେହରୌଲିଆ, ରାଜେଶ ଋଷି, ମଦନ ଲାଲ, ପବନ ଶର୍ମା, ଭାବନା ଗୌଡ଼, ବିଏସ୍‌ ଜୁନ ଓ ଗିରିଶ ସୋନି। ଏହି ବିଧାୟକମାନଙ୍କୁ ଦଳକୁ ସ୍ୱାଗତ କରି ବୈଜୟନ୍ତ ପଣ୍ଡା କହିଥିଲେ ଯେ ଆଜି ହେଉଛି ଏକ ଐତିହାସିକ ଦିନ। ସେମାନେ (ବିଧାୟକମାନେ) ଆପ୍‌ଦା (ବିପର୍ଯ୍ୟୟ)ରୁ ନିଜକୁ ମୁକ୍ତ କରି ଦେଇଛନ୍ତି। ଫେବ୍ରୁଆରୀ ୫ ତାରିଖ ପରେ ଦିଲ୍ଲୀ ମଧ୍ୟ ଆପ୍‌ କବଳରୁ ମୁକ୍ତ ହୋଇଯିବ। ଆପ୍‌ରୁ ଇସ୍ତଫା ଦେବା ପରେ ଏହି ବିଧାୟକମାନେ ବାଚସ୍ପତିଙ୍କୁ ମଧ୍ୟ ସେମାନଙ୍କ ଇସ୍ତଫାପତ୍ର ପଠାଇଥିଲେ ବୋଲି କହିଛନ୍ତି। ସେମାନଙ୍କ ସଭ୍ୟ ପଦ ତ୍ୟାଗ କରୁଥିବା ନେଇ ବାଚସ୍ପତିଙ୍କୁ ଜଣାଇଥିବା କହିଛନ୍ତି। ନରେଶ ଯାଦବ ତାଙ୍କ ଇସ୍ତଫାପତ୍ରରେ ଲେଖିଥିଲେ ଯେ ଆପ୍ ଗଠନ ହେବା ବେଳେ ଯେଉଁ ଆଦର୍ଶ ରାଜନୀତି କଥା କୁହାଯାଇଥିଲା, ତାହା ଆଉ ଦଳରେ ନାହିଁ। ଏବେ ଦଳ ଦୁର୍ନୀତିରେ ବୁଡ଼ି ରହିଛି। ସେହିଭଳି ରାଜେଶ ଋଷି କହିଥିଲେ ଯେ ଦଳ ତା’ର ମୂଳ ମୂଲ୍ୟବୋଧରୁ ସଂପର୍କ ତୁଟାଇ ସାରିଛି। ଦଳ ଗଠନ ବେଳେ ଦୁର୍ନୀତି ମୁକ୍ତ ତଥା ସ୍ୱଚ୍ଛ ଶାସନର ଯେଉଁ ସ୍ଲୋଗାନ ଦିଆଯାଇଥିଲା, ଦଳ ତାକୁ ଭୁଲି ଯାଇଛି। ଦଳ ଏବେ ପକ୍ଷପାତିତା ଓ ଦୁର୍ନୀତିରେ ବୁଡ଼ି ରହିଛି ବୋଲି ସେ କହିଛନ୍ତି। ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦଳକୁ ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆଣିବାକୁ ଲାଗିପଡିଛନ୍ତି | ଏହାରି ଭିତରେ ୮ ବିଧାୟକ ଇସ୍ତଫା ଦେଇ ବିଜେପିରେ ମିଶିଯିବା ଆପ୍‌ ପାଇଁ ଚିନ୍ତା ବଢ଼ିଯାଇଛି।

Breaking News