Report Card Odisha

| Daily Odia News

ଚାକିରିରେ ଥିବା ପତ୍ନୀ ଭରଣପୋଷଣ ଦାବି କରିପାରିବେନି…..

ରିପୋର୍ଟ କାର୍ଡ / କଟକ

ଚାକିରି ସୁଯୋଗ ଥିବା ବା କୌଣସି କ୍ଷେତ୍ରରେ ଅଭିଜ୍ଞତା ଥିବା ଶିକ୍ଷିତ ପତ୍ନୀ ଖାଲିଟାରେ ବସିରହି ଭରଣପୋଷଣ ଦାବି କରିପାରିବେ ନାହିଁ। ଛାଡ଼ପତ୍ର ମାମଲାରେ ପତ୍ନୀଙ୍କୁ ଭରଣପୋଷଣ ଦେବା ଆଇନ୍‌ରେ ବ୍ୟବସ୍ଥା ରହିଛି। ମାତ୍ର ଉଚ୍ଚ ଶିକ୍ଷିତା ତଥା ରୋଜଗାର କ୍ଷମତା ରଖୁଥିବା ପତ୍ନୀ ଏ କ୍ଷେତ୍ରରେ ଭରଣପୋଷଣ ମାଗିପାରିବେ ନାହିଁ ବୋଲି ଏକ ଛାଡ଼ପତ୍ର ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ଗୌରୀଶଙ୍କର ଶତପଥୀ ଏହି ରାୟ ଦେଇଛନ୍ତି ା ଯେଉଁ ପତ୍ନୀ ନିଜର ରକ୍ଷଣାବେକ୍ଷଣ ଲାଗି ନିଜେ ଅସମର୍ଥ ଓ ରୋଜଗାର କରିବାର କ୍ଷମତା ନାହିଁ ସେମାନଙ୍କ ଲାଗି ସ୍ବାମୀଙ୍କ ଠାରୁ ଭରଣପୋଷଣ ନେବା ଆଇନ୍‌ରେ ବ୍ୟବସ୍ଥା ରହିଛି। ମାତ୍ର ସଶକ୍ତ ଓ ରୋଜଗାରକ୍ଷମ ହୋଇଥିବାସ୍ଥଳେ କୌଣସି ଚାକିରି ବା କର୍ମନିଯୁକ୍ତିରୁ ନିଜକୁ ନିଷ୍କ୍ରିୟ ରଖି ଖାଲିରେ ବସି ରହି ସ୍ବାମୀ ଠାରୁ ଭରଣପୋଷଣ ଦାବି କରିବା ଉଚିତ ନୁହେଁ ବୋଲି ଅଦାଲତ କହିଛନ୍ତି। ଏକ ପରିବାର ଅଦାଲତ ଏହି ମାମଲାରେ ମାସିକ ଭରଣପୋଷଣ ଲାଗି ୮ହଜାର ଟଙ୍କା ନିର୍ଦେଶ ଦେଇଥିବାବେଳେ ଏହି ପରିମାଣକୁ ହାଇକୋର୍ଟ ପ୍ରତିମାସ ୫,୦୦୦ଟଙ୍କାକୁ ହ୍ରାସ କରିଛନ୍ତି। ମାମଲାର ବିବରଣୀ ମୁତାବକ, ଛାଡ଼ପତ୍ର ମାମଲାରେ ପରିବାର ଅଦାଲତଙ୍କ ମାସିକ ୮୦୦୦ ଟଙ୍କାର ଭରଣପୋଷଣ ନିର୍ଦେଶକୁ ବିରୋଧ କରି ସ୍ବାମୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କ ପତ୍ନୀ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗରେ ସ୍ନାତକୋତ୍ତର ଡିପ୍ଲୋମା ସହିତ ବିଜ୍ଞାନରେ ସ୍ନାତକ ହାସଲ କରିଛନ୍ତି। ସେ ଜଣେ ସୁଶିକ୍ଷିତ ମହିଳା ଓ ପୂର୍ବରୁ କିଛି ଗଣମାଧ୍ୟମ ସଂସ୍ଥାରେ କାମ କରୁଥିଲେ। ତାଙ୍କର ପ୍ରତିପୋଷଣ ପାଇଁ କାମ କରିବା ଏବଂ ରୋଜଗାର କରିବାର ସମ୍ଭାବନା ରହଛି।

Breaking News