ରିପୋର୍ଟକାର୍ଡ / ଭୁବନେଶ୍ୱର
ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଭାରତ ପକ୍ଷରୁ ଆକ୍ରମଣ କରାଯିବା ପରେ ପାକିସ୍ତାନ ପ୍ରତିଶୋଧପରାୟଣ ହୋଇଛି। ଶତ୍ରୁରାଷ୍ଟ୍ର ପାକିସ୍ତାନ ପକ୍ଷରୁ ସାମରିକ ପ୍ରତିଷ୍ଠାନ ଓ ଅନ୍ୟ ପ୍ରତିଷ୍ଠାନ ସମେତ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଉଛି। ବିଭିନ୍ନ ବିମାନ ବନ୍ଦର ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ଯୋଜନା ଚଳାଇଛି ବୋଲି ସୂଚନା ମିଳିଛି। ଗୁରୁବାର ଜମ୍ମୁ ବିମାନ ବନ୍ଦର ସମେତ ଏକାଧିକ ସ୍ଥାନକୁ ପାକିସ୍ତାନ ଟାର୍ଗେଟ କରିଥିଲା। ପରବର୍ତ୍ତୀ ସମୟରେ ଜମ୍ମୁ ବିମାନ ବନ୍ଦର ସହିତ ସମ୍ପୂର୍ଣ୍ଣ ସହରକୁ ବ୍ଲାକ ଆଉଟ୍ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ହାଇଆଲର୍ଟ ଜାରି କରାଯାଇଛି। ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷାକର୍ମୀ ବିମାନ ବନ୍ଦରରେ ଯାତ୍ରୀଙ୍କ ପରିଚୟପତ୍ରକୁ କଡ଼ାକଡ଼ି ଯାଞ୍ଚ କରୁଛନ୍ତି। ବିମାନ ବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ବିମାନ ବନ୍ଦରରେ ଅପରେସନ ସ୍ୱାଭାବିକ ଅଛି। କେବଳ ଗାଜିଆବାଦକୁ ବିମାନ ଯାଉନି। ହିନ୍ଦନ ବିମାନ ବନ୍ଦର ବନ୍ଦ ପାଇଁ ଗାଜିଆବାଦକୁ ଉଡ଼ାଣ ବନ୍ଦ କରାଯାଇଛି। କେନ୍ଦ୍ରରୁ ସେମିତି କିଛି ମାର୍ଗଦର୍ଶିକା ଆସିନି। ସୁରକ୍ଷାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଅନୁସାରେ କାମ କରାଯାଉଛି। ଏଥିରେ ଯାତ୍ରୀ ଭୟଭୀତ ନହେବା ପାଇଁ ସେ କହିଛନ୍ତି। ସେପରି କୌଣସି ସୂଚନା ଆସିଲେ ଠିକ୍ ସମୟରେ ସୂଚନା ଦିଆଯିବ ବୋଲି ନିର୍ଦେଶକ ଶ୍ରୀ ପ୍ରଧାନ କହିଛନ୍ତି। ‘ଅପରେସନ୍ ସିନ୍ଦୂର’କୁ ଦୃଷ୍ଟିରେ ରଖି ଗୁରୁବାର ବିମାନ ବନ୍ଦର ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ମେ’ ୧୦ ପର୍ଯ୍ୟନ୍ତ ୨୭ଟି ବିମାନ ବନ୍ଦର ବନ୍ଦ କରାଯାଇଥିବାବେଳେ ଏଠାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ଲାଗି ବୈଠକରେ ନିଷ୍ପତ୍ତି ହୋଇଥିଲା। ଶତ୍ରୁପକ୍ଷ ଆକ୍ରମଣକୁ ପ୍ରତିହତ କରିବା ଲାଗି ବ୍ଲୁ-ପ୍ରିଣ୍ଟ କରାଯାଇଥିଲା। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସ୍ଏଫ୍) ସହିତ କମିସନରେଟ ପୁଲିସ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇଛନ୍ତି। ଯାତ୍ରୀଙ୍କୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ସନ୍ଦିଗ୍ଧଙ୍କ ଉପରେ ସିଆଇଏସ୍ଏଫ୍ କଡ଼ା ନଜର ରଖିଛି। ବିମାନ ବନ୍ଦର ଚାରିପଟେ ପୁଲିସ ପଇଁତରା ମାରୁଛି। ଯେପରି କୌଣସି ସନ୍ଦିଗ୍ଧ ଭିତରକୁ ପ୍ରବେଶ ନକରିପାରନ୍ତି, ସେଥିପ୍ରତି ସୁରକ୍ଷାକର୍ମୀ ସଜାଗ ରହିଛନ୍ତି। ଏହିକ୍ରମରେ ଶୁକ୍ରବାରରୁ ଟର୍ମିନାଲ ଭିତରକୁ ଦର୍ଶକଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଯାଇଛି। ଟର୍ମିନାଲ ଭିତରକୁ ପ୍ରବେଶ ପାଇଁ ଜାରି ହେଉଥିବା ‘ଭିଜିଟର୍ ପାସ୍’ ବ୍ୟବସ୍ଥା ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି। ଗୃହ ମନ୍ତ୍ରଣାଳୟର ନିର୍ଦେଶ ତଥା ଡିଜିସିଏ ମାର୍ଗଦର୍ଶିକା ଅନୁସାରେ ଏହି ପଦକ୍ଷେପ ନିଆଯାଇଛି। କେବଳ ଟିକଟ ଥିବା ଯାତ୍ରୀଙ୍କ ଛଡ଼ା ଆଉ କାହାକୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ। ଟର୍ମିନାଲ ବାହାରେ ବିନା କାରଣରେ କାହାକୁ ଅଧିକ ସମୟ ରହିବାକୁ ଦିଆଯାଉ ନଥିବା ସେ କହିଛନ୍ତି।






More Stories
ତେଲ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା…..
୨୦ରେ ଯୁକ୍ତ ଦୁଇ ରେଜଲ୍ଟ…..
ଅଳ୍ପକେ ସନ୍ତୁଷ୍ଟ ହୁଅ ନାହିଁ,କାମ କରି ଚାଲନ୍ତୁ……