Report Card Odisha

| Daily Odia News

ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର ପାଇ ଭରତପୁର ପୋଲିସ ପହଞ୍ଚି ମୂରଲୀଧରନ୍‌ଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ମୂରଲୀଧରନଙ୍କୁ କେହି ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି ନା ହୃଦ୍‌ଘାତରୁ ତାଙ୍କର ମୃତ୍ୟୁ ଘଟିଛି, ସେନେଇ ପୋଲିସ ହୋଟେଲର ସିସିଟିଭି ଫୁଟେଜ ଯାଞ୍ଚ ସହ କର୍ମଚାରୀଙ୍କୁ ପଚରାଉଚରା କରୁଛି। ସେହିପରି ମୂରଲୀଧରନଙ୍କ ପରିବାର ସଦସ୍ୟଙ୍କୁ ଡାକି ତାଙ୍କର କେହି ଶତ୍ରୁ ରହିଥିଲେ କି ନାହିଁ ସେ ସମ୍ପର୍କରେ ଖୋଳତାଡ଼ କରୁଛି। ପୋଲିସ କହିଛି, ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ମୂରଲୀଧରନ କଳିଙ୍ଗବିହାରସ୍ଥିତ ଏକ ହୋଟେଲରେ ରହୁଥିଲେ। ସେ ଖାଇବା ଅର୍ଡର ନ କରିବାରୁ ହୋଟେଲ କର୍ମଚାରୀ ତାଙ୍କୁ ଡାକିବାକୁ ଯାଇଥିଲେ। କବାଟ ବାଡ଼େଇବା ସତ୍ତ୍ୱେ ସେ ଖୋଲି ନ ଥିଲେ। ଏ ନେଇ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚି କବାଟ ଭାଙ୍ଗିବା ପରେ ସେ ତଳେ ପଡ଼ିଥିବା ଦେଖି ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୂରଲୀଧରନ ଅନେକ ତାମିଲ ଫିଲ୍ମ ସମେତ ଓଡ଼ିଆରେ ଛାତି ଚିରିଦେଲେ ତୁ,ନେଇଯାରେ ମେଘ ମତେ, ଆକାଶେ କି ରଙ୍ଗ ଲାଗିଲା,ତୋ ଆଖିରେ ମୁଁ, ନୂଆ ନୂଆ ପ୍ରେମରେ,ମୁଁ ଆଶିକ ମୁଁ ଆୱାରା’ ଆଦି ଓଡ଼ିଆ ଚଳଚ୍ଚିତ୍ରରେ କାମ କରି ନିଜର ସ୍ବତନ୍ତ୍ର ପରିଚୟ ଗଢ଼ିଥିଲେ।

Breaking News