ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍ ବିରୋଧକରି ପୁଣିଥରେ ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ। ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ୪ ମାସ ପୂରିବାକୁ ଯାଉଛି। ଏହି ଅବସରରେ କୃଷକ ସଂଗଠନ ଗୁଡ଼ିକ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଥିବା ସୂଚନା ମିଳିଛି। ଏହାପୂର୍ବରୁ ଚାଷୀମାନେ ମାର୍ଚ୍ଚ ୧୯ରେ ‘ମଣ୍ଡି ବଚାଓ, ଖେତି ବଚାଓ’ ଆନ୍ଦୋଳନ କରିବେ ବୋଲି ଜଣାପଡ଼ିଛି। ଭାରତ ବନ୍ଦକୁ ନେଇ ଚାଷୀ ନେତା ବୁଟା ସିଂ ବୁର୍ଜଗିଲ୍ କହିଛନ୍ତି, ୩ଟି କେନ୍ଦ୍ରୀୟ କୃଷି ବିଲ୍ ବିରୋଧରେ ଚାଷୀମାନେ କରୁଥିବା ଆନ୍ଦୋଳନକୁ ୪ ମାସ ପୂରିବାକୁ ଯାଉଛି। ଏହି ଅବସରରେ ମାର୍ଚ୍ଚ ୨୬ରେ ଭାରତ ବନ୍ଦ ପାଳନ ହେବ। ଶାନ୍ତିପୂର୍ଣ୍ଣ ଭାବେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବ। ଏହାପୂର୍ବରୁ ମାର୍ଚ୍ଚ ୧୯ରେ ଚାଷୀମାନେ ‘ମଣ୍ଡି ବଚାଓ, ଖେତି ବଚାଓ’ ଆନ୍ଦୋଳନ କରିବେ। ‘ହୋଲିକା ଦହନ’ କାର୍ଯ୍ୟକ୍ରମ ଅବସରରେ ମାର୍ଚ୍ଚ ୨୮ରେ ନୂଆ କୃଷି ଆଇନ୍ର କପି ଗୁଡ଼ିକୁ ପୋଡ଼ାଯିବ ବୋଲି ଚାଷୀ ନେତାମାନେ କହିଛନ୍ତି। ନୂଆ କୃଷି ଆଇନ୍ ବିରୋଧରେ ଗତ ନଭେମ୍ବର ୨୬ରୁ ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି। ଜାନୁଆରୀ ୨୬ରେ ଏହି ଆନ୍ଦୋଳନକୁ ୨ ମାସ ବିତିଥିଲା ଓ ଏହି ଦିନ ଚାଷୀମାନେ ଏକ ଟ୍ରାକ୍ଟର ରାଲି କରିଥିଲେ। ହେଲେ ଏହି ରାଲି ହିଂସାକାଣ୍ଡରେ ପରିଣତ ହୋଇଥିଲା। ଆନ୍ଦୋଳନରେ ବସିଥିବା ଚାଷୀଙ୍କୁ ବୁଝାଇବାକୁ ସରକାର ବାରମ୍ବାର ବୈଠକ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ୮ରେ କୃଷି ଆଇନ୍ ବିରୋଧରେ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଗାଡ଼ି ଚଳାଚଳ ପ୍ରଭାବିତ ହେବାସହ ଦୋକାନ ବଜାର ବନ୍ଦ ରଖିବାକୁ କୃଷକ ସଂଗଠନ ଗୁଡ଼ିକ ଆହ୍ୱାନ ଦେଇଥିଲେ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..