ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାତ୍ୟା ଓ ବର୍ଷା ଆଶଙ୍କାରେ ଏବେ ରାଜ୍ୟର ଚାଷୀ ଚିନ୍ତାରେ ରହିଛନ୍ତି। ଏପରିସ୍ଥିତିରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ରେ ଲଘୁଚାପରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା ମାଲାକ୍କା ଷ୍ଟ୍ରେଟ୍ର ସମୁଦ୍ର ପାଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିବା ସହ ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ୨୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପଟି ଅବପାତର ରୂପ ନେବାର ସମ୍ଭାବନା ରହିଛି। ଏହାର ପରବର୍ତ୍ତୀ ୪୮ଘଣ୍ଟା ଅର୍ଥାତ୍ ୨୬ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଅଧିକ ଘନୀଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି, ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଉପକୂଳରୁ ବହୁ ଦୂରରେ ରହିଛି। ତେଣୁ ଆଗାମୀ ୭ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ନାହିଁ ଏବଂ ବାତ୍ୟା ଏପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ। ତେବେ ବାତ୍ୟା ସଂକ୍ରାନ୍ତରେ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିଲେ ମଧ୍ୟ ବିଭିନ୍ନ ପାଣିପାଗ ମଡେଲର ବାତ୍ୟା ଆକଳନକୁ ନେଇ ଲୋକଙ୍କ ମନରେ ଛନକା ପଶିଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ମଡେଲଗୁଡ଼ିକ ବାତ୍ୟା ନିଶ୍ଚିତ ବୋଲି ଦର୍ଶାଉଥିଲେ ମଧ୍ୟ ଓଡ଼ିଶା ଉପରେ ଏହାର ପ୍ରଭାବ ନେଇ ଭିନ୍ନ ଭିନ୍ନ ତଥ୍ୟ ଦେଉଛନ୍ତି। ମଡେଲଗୁଡ଼ିକର ଆକଳନ ଅନୁଯାୟୀ, ୨୬ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୭ ତାରିଖ ବେଳକୁ ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ବର୍ଷାର ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ବଡ଼ ବର୍ଷାର ସମ୍ଭାବନା ରହିଛି।






More Stories
ଆସୁଛି ଲଘୁଚାପ…..
ସୈାମ୍ୟରଞ୍ଜନ ମୃତ୍ୟୁ ଘଟଣା;ଗିରଫ ସଂଖ୍ୟା ୧୧କୁ ବୃଦ୍ଧି….
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….