Report Card Odisha

| Daily Odia News

ଜିରୋ ନାଇଟ୍‌ ସେଲିବ୍ରେଶନ୍‌:୧୨ଟା ପରେ ମ୍ୟୁଜିକ ମନା…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ନୂଆବର୍ଷ ପାଳନ ପାଇଁ ପୋଲିସ ପକ୍ଷରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ ବୋଲି ସୂଚନା ମିଳିଛି। ଏପରିକି ଜିରୋ ନାଇଟ୍‌ ଉତ୍ସବ ବେଳେ ଯେପରି କୌଣସି ଅଘଟଣ ନ ଘଟିବ ଏବଂ ଅପରାଧକୁ ପ୍ରତିହତ କରିବାକୁ ଟୁଇନ୍‌ ସିଟି କମିଶନରେଟ୍‌ ପୋଲିସ ପକ୍ଷରୁ ଭୁବନେଶ୍ୱରର ସମସ୍ତ ପୋଲିସ ଅଧିକାରୀଙ୍କୁ ସତର୍କ ଓ ସଜାଗ କରାଯାଇଛି। ରାସ୍ତାରେ କୌଣସି ପ୍ରକାର ଉତ୍ସବ ପାଳନକୁ ବାରଣ କରାଯାଇଥିବାବେଳେ ଜିରୋ ନାଇଟ୍‌ ସେଲିବ୍ରେଶନ୍‌ ପାଇଁ ରାତି ୧୨ଟା ପରେ ମ୍ୟୁଜିକ ସିଷ୍ଟମ ବାଜିବା ଉପରେ କଟକଣା ଜାରି କରାଯାଇଛି। ରାଜଧାନୀର ୬ ପୋଲିସ ଜୋନ୍‌କୁ ସୁରକ୍ଷା ଦଦାରଖ ପାଇଁ ୪ଜଣ ଅତିରିକ୍ତ ଡିସିପିଙ୍କୁ ହାୟିତ୍ୱ ଦିଆଯାଇଛି। ଜୋନ-୧ ଓ ୨ରେ ଏଡିସିପି ସୁନାରାମ ହେମ୍ୱ୍ରମ, ଜୋନ-୩ରେ ଏଡିସିପି ସଞ୍ଜୟ କୁମାର ମହାପାତ୍ର, ଜୋନ-୪ରେ ଏଡିସିପି ଆରତି ଗିରି, ଜୋନ ୫ ଓ ୬ରେ ଏଡିସିପି ସୁବ୍ରତ କୁମାର ତଦାରଖ କରିବେ। ନିର୍ଦ୍ଦେଶାନାମା ଅନୁଯାୟୀ, ସବୁ ଥାନା ସେମାନଙ୍କ ଅଞ୍ଚଳରେ ଯେଉଁ ହୋଟେଲ, କ୍ଲବ୍‌ ଓ ଅନ୍ୟାନ୍ୟ ପ୍ରତିଷ୍ଠାନରେ ନୂଆବର୍ଷ ଉତ୍ସବ ପାଳନ କରାଯାଉଛି, ସେଗୁଡ଼ିକୁ ଚିହ୍ନଟ କରିବେ। ସେଠାକାର ସ୍ଥାନ, କାର୍ଯ୍ୟକ୍ରମର ସମୟ ଏବଂ ଅନ୍ୟାନ୍ୟ ଦିଗ ଉପରେ ସମ୍ପୃକ୍ତ ଅନୁଷ୍ଠାନ ଓ ପ୍ରତିଷ୍ଠାନ ପୋଲିସକୁ ଆଗୁଆ ସୂଚନା ଦେବେ। ସେହିପରି ଜିରୋ ନାଇଟ୍‌ ସେଲିବ୍ରେଶନ୍‌ କରୁଥିବା ଅନୁଷ୍ଠାନଗୁଡ଼ିକ ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରୁ ସମସ୍ତ ପ୍ରକାର ଅନୁମତି ନେଇଛନ୍ତି କି ନାହିଁ, ତାହା ଯାଞ୍ଚ କରାଯିବ। ସେଠାରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ବିବରଣୀ, କେଉଁ ତାରକା ସେଠାକୁ ଆସିବେ, ଉତ୍ସବରେ ଭାଗ ନେଉଥିବା ସଦସ୍ୟଙ୍କ ସଂଖ୍ୟା ଏବଂ ଉତ୍ସବ ସ୍ଥଳରେ ଅନୁମୋଦିତ କ୍ଷମତା ଦିଗରେ ଆଗୁଆ ଯାଞ୍ଚ କରି ରିପୋର୍ଟ ଦେବାକୁ କୁହାଯାଇଛି। ବିଶେଷକରି ପାଟ୍ରୋଲିଂ ଉପରେ ପୋଲିସ ପକ୍ଷରୁ ଅଧିକ ଧ୍ୟାନ ଦିଆଯାଇଛି। ଉତ୍ସବ ସ୍ଥଳ, ଏହାକୁ ସଂଯୋଗ କରୁଥିବା ରାସ୍ତା ଓ ପାର୍କ, ରେଷ୍ଟୁରାଣ୍ଟ, କଲେଜ ଓ ବସ୍ତି ଅଞ୍ଚଳ ଆଦି ସମ୍ୱେଦନଶୀଳ ସ୍ଥାନରେ ନିୟମିତ ପୋଲିସ ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହିଳା ଓ ଶିଶୁଙ୍କ ସୁରକ୍ଷା ସହ ସେମାନଙ୍କ ମୁକ୍ତ ଗତିବିଧି ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି। ନୂଆବର୍ଷ ରାତିରେ ମଦ୍ୟପାନଜନିତ ଗାଡ଼ିଚାଳନା ରୋକିବାକୁ ପୋଲିସ ପକ୍ଷରୁ ବ୍ଲକିଂ ଓ ଚେକିଂ କଡ଼ାକଡ଼ି କରାଯିବ। ସେହିପରି ଏହି ସମୟରେ ଅସାମାଜିକ ତତ୍ୱଙ୍କ ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିବା ସହ ପୋଲିସ କର୍ମଚାରୀଙ୍କ ସୁରକ୍ଷା ପାଇଁ ଚେକିଂ ପଏଣ୍ଟରେ ଲୁହା ବ୍ୟାରିକେଡ୍‌ ରଖାଯିବାକୁ ପରାମର୍ଶ ଦିଆଯାଇଛି।

Breaking News