ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏହି ମର୍ମରେ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଏକ ମାମଲାରେ ଜଷ୍ଟିସ ୱାଇ. ଲକ୍ଷ୍ମଣ ରାଓ କହିଛନ୍ତି ଯେ, ଭାରତୀୟ ଆଇନ ବ୍ୟବସ୍ଥାରେ ଭରଣପୋଷଣ ନୀତି ସେହି ସଂକଳ୍ପର ପ୍ରତୀକ, ଯାହା ସୁନିଶ୍ଚିତ କରେ ଯେ କୌଣସି ପତ୍ନୀ, ସନ୍ତାନ କିମ୍ବା ବୃଦ୍ଧ ପିତାମାତା ଯେପରି ଅର୍ଥାଭାବରୁ ଦୁର୍ଦ୍ଦଶାର ସମ୍ମୁଖୀନ ନ ହୁଅନ୍ତି। ଯେଉଁମାନେ ଆଇନଗତ ଭାବେ ସେମାନଙ୍କର ଦାୟିତ୍ୱ ନେବାକୁ ବାଧ୍ୟ, ସେମାନଙ୍କ ଅବହେଳା ଯୋଗୁଁ କେହି ଯେମିତି ଅସହାୟ ନ ହୁଅନ୍ତି ତାହା ନ୍ୟାୟାଳୟ ସୁନିଶ୍ଚିତ କରିବେ। ଚିନ୍ନନ କିଶୋର କୁମାର ନାମକ ଜଣେ ବ୍ୟକ୍ତି ଫ୍ୟାମିଲି କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଫ୍ୟାମିଲି କୋର୍ଟ ତାଙ୍କ ପତ୍ନୀଙ୍କୁ ମାସିକ ୭,୫୦୦ ଟଙ୍କା ଏବଂ ତାଙ୍କ ନାବାଳକ ପୁଅକୁ ୫,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିଶୋର କୁମାର ଏହାକୁ “ଅଯୌକ୍ତିକ ଓ ମନଇଚ୍ଛା” ବୋଲି ଦର୍ଶାଇ ରଦ୍ଦ କରିବାକୁ ଅନୁରୋଧ କରିଥିଲେ। ହାଇକୋର୍ଟ କିଶୋରଙ୍କ ଆବେଦନକୁ ଖାରଜ କରି କହିଛନ୍ତି ଯେ, ଭରଣପୋଷଣ ହେଉଛି ସମ୍ବିଧାନର ଧାରା ୧୫(୩) ଏବଂ ୩୯ ଅନୁଯାୟୀ ଏକ ସାମାଜିକ ନ୍ୟାୟର ଅଂଶ। ଏହା ସମାଜର ଦୁର୍ବଳ ଶ୍ରେଣୀ, ବିଶେଷ କରି ମହିଳା ଓ ଶିଶୁଙ୍କୁ ଆର୍ଥିକ ଶୋଷଣରୁ ରକ୍ଷା କରିବା ପାଇଁ ରାଷ୍ଟ୍ରର ଏକ ପ୍ରତିବଦ୍ଧତା। “ଭରଣପୋଷଣର ଦାୟିତ୍ୱ ନିରନ୍ତର ଏବଂ ଏହାକୁ ପାରିବାରିକ କିମ୍ବା ବୈବାହିକ ସମ୍ପର୍କରୁ ଅଲଗା କରାଯାଇପାରିବ ନାହିଁ।” – ଜଷ୍ଟିସ ୱାଇ. ଲକ୍ଷ୍ମଣ ରାଓ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହା କୌଣସି ଏକକାଳୀନ ଉପହାର ନୁହେଁ, ବରଂ ଏକ ପୁନରାବୃତ୍ତ ଅଧିକାର ଯାହା ପ୍ରତି ମାସରେ ଉଲ୍ଲଂଘନ ହେଲେ ସାନି ଭାବେ ଦାବି କରାଯାଇପାରିବ।






More Stories
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..
ବ୍ଲିଙ୍କିଟ୍ ବିକୁଛି ଭୟଙ୍କର ବଟନ୍ ଛୁରୀ……