ରିପୋର୍ଟ କାର୍ଡ / ଭୁବନେଶ୍ବର
ଦୀର୍ଘ ଦଶନ୍ଧି ଧରି ରାଜ୍ୟର ‘ନୀତି ଓ ବିକାଶ’ର ଥିଙ୍କ୍ ଟ୍ୟାଙ୍କ ପାଲଟିଥିବା ଯୋଜନା ବୋର୍ଡ ଏବେ ଇତିହାସ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ନିତି ଆୟୋଗ ଢାଞ୍ଚାରେ ରାଜ୍ୟ ସରକାର ‘ଷ୍ଟେଟ୍ ଇନଷ୍ଟିଚ୍ୟୁଟ ଫର୍ ଟ୍ରାନ୍ସଫର୍ମେଟିଭ ଇନିସିଏଟିଭ୍ ବା ସିଟି-ଓଡ଼ିଶା ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ରାଜ୍ୟ ସରକାରଙ୍କ ଏକ ‘ଥିଙ୍କ୍ ଟ୍ୟାଙ୍କ୍’-ଏକ ଶୀର୍ଷ ନୀତି ଗବେଷଣା ଏବଂ ରଣନୈତିକ ପରାମର୍ଶଦାତା ସଂସ୍ଥା ଭାବେ କାର୍ଯ୍ୟ କରିବ। ‘ସମୃଦ୍ଧ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭’ର ସଂକଳ୍ପ ସହ ମଧ୍ୟ ସମନ୍ବୟ ରକ୍ଷା କରିବ। ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏନେଇ ସଂକଳ୍ପ ପ୍ରକାଶ ପାଇଛି। ରାଜ୍ୟ ସରକାର ୨୦୨୪ ଜୁଲାଇ ୧୮ରେ ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ଦେଇଥିଲେ। ପାରମ୍ପରିକ ଯୋଜନା ପ୍ରଣାଳୀ ବର୍ତ୍ତମାନ ଅପ୍ରାସଙ୍ଗିକ ହୋଇପଡ଼ିଥିବାରୁ ସିଟି-ଓଡ଼ିଶା ରଣନୈତିକ ନୀତି ଚିନ୍ତାଧାରା, ନବସୃଜନ, ସଂଘୀୟ ବ୍ୟବସ୍ଥା ଏବଂ ଔଚିତ୍ୟ ପ୍ରଦାନ କରିବେ। ଫଳାଫଳ ଉପରେ ଆଧାରିତ ଏକ ଭବିଷ୍ୟତବାଦୀ ରୂପରେଖ ପ୍ରଦାନ କରିବ। ଏହା ସର୍ବୋଚ୍ଚସ୍ତରରେ ରଣନୈତିକ ଦିଗଦର୍ଶନ ନିଶ୍ଚିତ କରିବ। ସିଟି-ଓଡ଼ିଶା ୬ଟି ବିଷୟବସ୍ତୁ ଉପରେ ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବ। ସେଗୁଡ଼ିକ ହେଲା- ଅର୍ଥନୀତି ଓ ଅର୍ଥ, ଗ୍ରାମୀଣ ଅର୍ଥନୀତି ଓ ଜୀବିକା, ନିଯୁକ୍ତି ଓ ସହରୀ ବିକାଶ, ପରିକଳ୍ପନା ଓ ନବସୃଜନ, ଶକ୍ତି ରୂପାନ୍ତରଣ,ପରିବେଶ ଓ ଜଙ୍ଗଲ, ଖଣି ଓ ପ୍ରାକୃତିକ ସମ୍ପଦ। ପ୍ରତ୍ୟେକ ବିଷୟବସ୍ତୁ ରାଜ୍ୟର ବିକାଶମୂଳକ ପ୍ରାଥମିକତାର ମୁଖ୍ୟ ସ୍ତମ୍ଭଗୁଡ଼ିକ ଉପରେ ଧ୍ୟାନ ଦେବ। ଏଥିରେ ଏକ ପରିଚାଳନା ପରିଷଦ ରହିବ, ଯାହାର ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇବେ। ଏହାବ୍ୟତୀତ ଏଥିରେ ଜଣେ ଉପାଧ୍ୟକ୍ଷ, ୪ ଜଣ ପୂର୍ଣ୍ଣକାଳୀନ ସଦସ୍ୟ, ୯ ଜଣ ଏକ୍ସ-ଅଫିସିଓ ସଦସ୍ୟ ଏବଂ ଦୁଇଜଣ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିବେ। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟାବଳୀ ଅନୁଯାୟୀ ସିଟି-ଓଡ଼ିଶାର କାର୍ଯ୍ୟକୁ ପରିଚାଳନା ପରିଷଦ ଅନୁଧ୍ୟାନ ଓ ମାର୍ଗଦର୍ଶନ କରିବ। ପରିଷଦ ବର୍ଷକୁ ଅତିକମରେ ଥରେ ବୈଠକ କରିବ ଏବଂ ଆବଶ୍ୟକସ୍ଥଳେ ଯେକୌଣସି ସମୟରେ ବୈଠକ ଡକାଯାଇପାରିବ। ସିଟି-ଓଡ଼ିଶାର ଉପାଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତ ହେବେ ଏବଂ ତାଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବ। ବିଭିନ୍ନ କ୍ଷେତ୍ରର ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ କରିବେ। ସେମାନେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇବେ। ଉନ୍ନୟନ ଆୟୁକ୍ତ-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହାର ସଦସ୍ୟ ସଚିବ ଦାୟିତ୍ବ ତୁଲାଇବେ। ମୁଖ୍ୟମନ୍ତ୍ରୀ ଜଣେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ ନିଯୁକ୍ତ କରିବେ। ସିଇଓ ଆଇଏଏସ୍ କ୍ୟାଡରରେ ଜଣେ ପ୍ରମୁଖ ସଚିବ କିମ୍ବା ଆୟୁକ୍ତ-ତଥା-ସଚିବ ପାହ୍ୟାର ହୋଇଥିବେ। ଏଥିସହିତ ସମ୍ପୃକ୍ତ ବିଷୟବସ୍ତୁ ଉପରେ ଜ୍ଞାନ ଓ ଅଭିଜ୍ଞତା ଥିବା ଜଣେ କାର୍ଯ୍ୟକ୍ରମ ନିର୍ଦେଶକ, ଏକ ବହୁମୁଖୀ ପ୍ରକଳ୍ପ କାର୍ଯ୍ୟାନ୍ବୟନ ୟୁନିଟ୍ (ପିଆଇୟୁ) ଏବଂ ଦୈନନ୍ଦିନ କାର୍ଯ୍ୟ ପାଇଁ ଏକ ପ୍ରଶାସନିକ ୟୁନିଟ୍ ରହିବ। ସିଟି-ଓଡ଼ିଶା ଅଧୀନରେ ଷ୍ଟେଟ ମନିଟରିଂ ଆଣ୍ଡ ଇଭାଲ୍ୟୁଏସନ କାର୍ଯ୍ୟାଳୟ ମଧ୍ୟ ରହିବ। ଏହା ତଥ୍ୟ-ଭିତ୍ତିକ ଶାସନ ପାଇଁ ଏକ ନୋଡାଲ୍ ସଂସ୍ଥା ଭାବେ କାର୍ଯ୍ୟ କରିବ। ସିଟି-ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ଯୋଜନା ଓ ସଂଯୋଜନ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରିବ।






More Stories
ପ୍ରବଳ ଘଡ଼ଘଡ଼ି ସହ ବିଜୁଳି…..
ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି…..
ଆସିବେ ରାଷ୍ଟ୍ରପତି,୪୫ ପ୍ଲାଟୁନ ଫୋର୍ସ ମୁତୟନ…..