Report Card Odisha

| Daily Odia News

ଏକାଠି ଲଢ଼ିପାରନ୍ତି ବିଜେଡି-କଂଗ୍ରେସ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପଞ୍ଚାୟତ ନିର୍ବାଚନରେ ଏକାଠି ଲଢ଼ିପାରନ୍ତି ବିଜେଡି-କଂଗ୍ରେସ। ଜିଲା ପରିଷଦ ସିଟ୍‌ ପାଇଁ ହୋଇପାରେ ବୁଝାମଣା। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ବୟାନ ପରେ ବଢ଼ିଛି ଚର୍ଚ୍ଚା। ରାଜ୍ୟ ସଭା ନିର୍ବାଚନଠାରୁ ରାଜ୍ୟରେ ବିଜେଡି-କଂଗ୍ରେସ ମେଣ୍ଟ ଚର୍ଚ୍ଚା ଲାଗିରହିଥିବାବେଳେ ଏବେ ପିସିସି ସଭାପତିଙ୍କ ପ୍ରତିକ୍ରିୟା ନିଆଁରେ ଘିଅ ଢାଳିଛି। ଭକ୍ତ କହିଛନ୍ତି, ହାଇକମାଣ୍ଡ ଚାହିଁଲେ ମେଣ୍ଟ ହୋଇପାରେ। ଖଡ଼ଗେ, ରାହୁଲ ଗାନ୍ଧୀ ଏବଂ ନବୀନ ଚାହିଁଲେ ଏକାଠି ଲଢ଼ିପାରୁ। ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭାଜପାକୁ ଚେକ୍‌ ଦେବା ପାଇଁ କଂଗ୍ରେସ ଓ ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଜୋର୍‌ ଧରିଛି |
ରବିବାର ଖୋର୍ଦ୍ଧାରେ କଂଗ୍ରେସ କାର୍ଯ୍ୟାଳୟ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଏଥିରେ ଛୁଙ୍କ ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପୂର୍ବରୁ ଦଳ ଏକାକୀ ଲଢ଼ିବ କହୁଥିବା ଭକ୍ତ ଏବେ ୟୁ-ଟର୍ନ ମାରିଛନ୍ତି। ଆଗରୁ କହୁଥିଲେ ପ୍ରସଙ୍ଗଭିତ୍ତିକ ସମର୍ଥନ। ଏବେ କହୁଛନ୍ତି ହାଇକମାଣ୍ଡ ଚାହିଁଲେ ମେଣ୍ଟ ହେବ। ରାଜ୍ୟ ସଭା ନିର୍ବାଚନରୁ ବିଜେଡି-କଂଗ୍ରେସ ଭିତରେ ପଡ଼ିଥିବା ମେଣ୍ଟ ସମ୍ପର୍କର ମୂଳଦୁଆ ଆଗକୁ ସ୍ଥାୟୀ ରୂପ ନେଉଥିବା ପିସିସି ସଭାପତିଙ୍କ ବୟାନରୁ ଜଣାପଡିଛି। ଆଗରୁ ଯାହା ଚର୍ଚ୍ଚା ହେଉଥିଲା, ଏବେ ମେଣ୍ଟ ହୋଇପାରେ ବୋଲି ଖୋଦ୍‌ ପିସିସି ସଭାପତିଙ୍କ ବୟାନ ପରେ ଚର୍ଚ୍ଚା ଆହୁରି ଜୋର୍‌ ଧରିଛି । ସେପଟେ ପିସିସି ସଭାପତିଙ୍କ ମେଣ୍ଟ ଆକଳନକୁ ପରୋକ୍ଷରେ ସମର୍ଥନ କରିଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର। ସେ କହିଛନ୍ତି, ସମ୍ଭାବନା ସବୁକ୍ଷେତ୍ରରେ ରହିଛି। ସ୍ଥିତିକୁ ଦେଖି ରାଜ୍ୟ ସ୍ବାର୍ଥ ଅନୁଯାୟୀ ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ।

Breaking News