ରିପୋର୍ଟ କାର୍ଡ / ରାଉରକେଲା
ଓଡ଼ିଶା ସୀମାନ୍ତ ସରଣ୍ଡା ଜଙ୍ଗଲରେ ବୁଧବାର ଦିନ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ ଘଟିଛି। ଏହି ସଂଘର୍ଷରେ ୨୦୫ କୋବ୍ରା ବାଟାଲିୟନର ଇନ୍ସପେକ୍ଟର ସତ୍ୟ ପ୍ରକାଶଙ୍କ ସହ ୫ ଯବାନ ଗୁରୁତର ଆହତ ହୋଇଛନ୍ତି। ରାଞ୍ଚି ପୁଲିସ ଅଧୀକ୍ଷକ ଅମିତ ରେଣୁ ଏହି ମୁହାଁମୁହିଁ ଘଟଣାକୁ ସ୍ବୀକାର କରିଛନ୍ତି। ସରଣ୍ଡା ଜଙ୍ଗଲର ବାବୁଡେରା, ଦଲାଇଡେରା ଓ ଚଡରାଡେରା ପାହାଡ଼ି ଅଞ୍ଚଳରେ ବୁଧବାର ସକାଳ ପ୍ରାୟ ୧୦ରୁ ଦିନ ୨ ପର୍ଯ୍ୟନ୍ତ ଗୁଳି ବିନିମୟ ହୋଇଥିଲା। ଏଥିରେ ଇନ୍ସପେକ୍ଟର ସତ୍ୟ ପ୍ରକାଶଙ୍କ ସହ ଶୈଳେଶ କୁମାର ଦୁବେ, ଉତ୍ତମ କୁମାର ସେନାପତି, ଜିତେନ୍ଦ୍ର ରାୟ ଓ ପ୍ରେମ କୁମାର ଆହତ ହୋଇଛନ୍ତି। ମାଓବାଦୀ ବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା ବେଳେ ପୂର୍ବରୁ ଛକିଥିବା ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ। ମାଓବାଦୀମାନେ ଖଞ୍ଜିଥିବା ଆଇଇଡି ବିସ୍ଫୋରଣରେ ଇନ୍ସପେକ୍ଟର ସତ୍ୟପ୍ରକାଶଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଛି। ଗୁଳି ବିନିମୟ ସମୟରେ ଅନ୍ୟ ଚାରି ଯବାନ ଆହତ ହୋଇଛନ୍ତି। ଶୈଳେଶଙ୍କ ବେକ, ଉତ୍ତମଙ୍କ ହାତ ଓ ଜିତେନ୍ଦ୍ରଙ୍କ ଗୋଡ଼ରେ ଗୁଳି ବାଜିଛି। ଆହତ ଇନ୍ସପେକ୍ଟର ଓ ଯବାନଙ୍କୁ ବାଲିବା ଗାଁରୁ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଛି। ଅନ୍ୟ ଜଣେ ଯବାନଙ୍କୁ ସ୍ଥାନୀୟ ସ୍ତରରେ ଚିକିତ୍ସା କରାଯାଉଛି।






More Stories
ଅକ୍ଷୟ ତୃତୀୟାରେ ସିଏମ କିଷାନ ରାଶି…..
ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୬ ନିର୍ଦ୍ଦେଶ…..
ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ…..