ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଦ୍ୟ ସମାପ୍ତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ (ଟିଏମ୍ସି) ଶୋଚନୀୟ ପରାଜୟ ବରଣ କରିଛି। ଦୀର୍ଘ ୧୫ ବର୍ଷ ପରେ ରାଜ୍ୟରେ ମମତାଙ୍କ ଶାସନର ଅନ୍ତ ଘଟିଥିବାବେଳେ ଫଳାଫଳକୁ ନେଇ ଦଳରେ ଚାପା ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି। ମମତା ଓ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଏକଛତ୍ରବାଦ ଶାସନ ଏବଂ ତ୍ରୁଟିପୂର୍ଣ୍ଣ ରଣନୀତି ଯୋଗୁଁ ଦଳ ପରାଜୟ ଭୋଗିଲା ବୋଲି ଏକାଧିକ ନେତା ଓ ପ୍ରାର୍ଥୀ ମତବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମମତା ଶନିବାର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ଦଳୀୟ ପ୍ରାର୍ଥୀଙ୍କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ ଯିଏ ଚାହିଁବ, ସିଏ ଦଳ ଛାଡି ଯାଇପାରିବ। ଦଳକୁ ପୁନଃ ସଂଗଠିତ କରିବା ଏବଂ ଏହାକୁ ପୁଣି ଶକ୍ତିଶାଳୀ କରିବା ଦାୟିତ୍ବ ନିଜେ ସମ୍ଭାଳିବେ ବୋଲି ମମତା କହିଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ଟିଏମ୍ସି କାର୍ଯ୍ୟାଳୟଗୁଡିକୁ ପୁଣି ମରାମତି କରାଯିବା ସହ ଏହାକୁ ପୁଣି ରଙ୍ଗ ଦିଆଯିବ ବୋଲି ମମତା କହିଛନ୍ତି। ପରାଜୟ ସତ୍ତ୍ବେ ଟିଏମ୍ସି କୌଣସି ପରିସ୍ଥିତିରେ ମଣ୍ଡ ନୁଆଁଇବ ନାହିଁ। ଚଳିତ ନିର୍ବାଚନରେ ଜନମତକୁ ବିଜେପି ଲୁଟିଛି ବୋଲି ମମତା ଅଭିଯୋଗ କରିଛନ୍ତି। ବିଧାନସଭାର ମୋଟ ୨୯୪ ଆସନ ମଧ୍ୟରୁ ଟିଏମ୍ସି ୨୯୧ ଆସନରେ ପ୍ରାର୍ଥୀ ଛିଡା କରିଥିବାବେଳେ ଅନ୍ୟ ତିନିଟି ଆସନ ସହଯୋଗୀ ବିଜିପିଏମ (ଭାରତୀୟ ଗୋର୍ଖା ପ୍ରଜାତାନ୍ତ୍ରିକ ମୋର୍ଚ୍ଚା)କୁ ଛାଡିଥିଲା। ତେବେ ଟିଏମ୍ସିର ୨୧୧ ପ୍ରାର୍ଥୀ ହାରିଯାଇଥିବାବେଳେ କେବଳ ୮୦ ଜଣ ନିର୍ବାଚିତ ହୋଇଛନ୍ତି। ଫଳାଫଳ ଘୋଷିତ ହେବା ପରେ କେତେକ ଟିଏମ୍ସି ନେତା ଅନ୍ୟ ଦଳରେ ମିଶିବାକୁ ଯୋଜନା କରୁଥିବା ଜଣାପଡିଥିଲା। ଏହି ପରିପ୍ରେକ୍ଷୀରେ ମମତା ନିଜର କାଳୀଘାଟସ୍ଥିତ ବାସଭବନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ସବୁ ପ୍ରାର୍ଥୀଙ୍କୁ ସମ୍ବୋଧିତ କରି ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହି ବୈଠକରେ ଅଭିଷେକ ମଧ୍ୟ ଉପସ୍ଥିତ ଥିଲେ।






More Stories
ରବର୍ଟ ଭଦ୍ରାଙ୍କୁ ଜାମିନ…..
ଆଣ୍ଡାମାନ ଛୁଇଁଲା ମୌସୁମୀ…..
ଦୀର୍ଘଦିନର “ଟାୱେଲ୍ ସଂସ୍କୃତି”କୁ ବନ୍ଦ କଲେ ବିଜୟ…..