Report Card Odisha

| Daily Odia News

୩ ବ୍ୟାଙ୍କ ଅଫିସର ଗିରଫ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜାଲ ଦସ୍ତାବିଜ୍‌ ଦେଇ ଏସ୍‌ବିଆଇର ୪ଟି ଶାଖାରୁ ବ୍ୟକ୍ତିଗଣ ଋଣ ନାମରେ ୬କୋଟି ୮୮ଲକ୍ଷ ୨୯ ହଜାର ଟଙ୍କା ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ୩ଜଣ ବ୍ୟାଙ୍କ ଅଧିକାରିଣୀଙ୍କୁ ଗିରଫ କରିଛି। ସେମାନେ ହେଲେ ବୈଶାଖୀ ଶାହା, ଚାରୁବାଳା ଦଣ୍ଡସେନା ଏବଂ ସରିତା ପାଇକରାୟ। ପୂର୍ବରୁ ଗିରଫ ଦଲାଲ ସ୍ମୃତିରଞ୍ଜନ ମହାନ୍ତିଙ୍କ ସହ ମିଶି ଏମାନେ ଠକେଇ କରିଥିଲେ। ସ୍ମୃତିରଞ୍ଜନ ଠକେଇ ପାଇଁ ଜାଲ ଦସ୍ତାବିଜ୍‌ ସଂଗ୍ରହ କରିଥିବା ବେଳେ ୩ ଅଧିକାରିଣୀ ଋଣ ମଞ୍ଜୁର କରିଥିଲେ। ବ୍ୟାଙ୍କ୍‌ର ଅଡିଟ୍‌ ବେଳେ ଏହି ଠକେଇ ଧରାପଡ଼ିବା ପରେ ଏସ୍‌ବିଆଇର ଦକ୍ଷିଣ ଭୁବନେଶ୍ୱର ଆଞ୍ଚଳିକ ମ୍ୟାନେଜର ଶିବ ସୁନ୍ଦର ସାହୁଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ କେସ୍‌ ନଂ.୮/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ସହ ମୋଟ ୪ଜଣଙ୍କୁ ଗିରଫ କରିଛି। ତେବେ ଏହି ଠକେଇରେ ସାମିଲ ଥିବା ଦେବାଶିଷ ବେହେରା ଏବଂ ପ୍ରଦୀପ କୁମାର ଲେଙ୍କା ଫେରାର ଥିବାରୁ ସେମାନଙ୍କୁ ଗିରଫ ପାଇଁ ଇଓଡବ୍ଲ୍ୟୁ ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ସୂଚନା ଦିଆଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ଗିରଫ ବ୍ୟାଙ୍କ ଅଧିକାରୀ ବୈଶାଖୀ ୟୁନିଟ୍‌-୧ ଏସ୍‌ବିଆଇ ମୁଖ୍ୟ ଶାଖାରେ ଆସିଷ୍ଟାଣ୍ଟ ମ୍ୟାନେଜର (କ୍ରେଡିଟ ଏବଂ ଏନ୍‌ପିଏ) ଏବଂ ରିଜିଓନାଲ ବ୍ୟବସାୟ କାର୍ଯ୍ୟାଳୟ (ଆର୍‌ବିଓ)-୨ରେ କାର୍ଯ୍ୟ କରୁଥିଲେ। ୨୦୨୨-୨୦୨୩ରେ ସେ ଏସ୍‌ବିଆଇ ରେଳ ବିହାର ଶାଖାରେ ସେବା ପରିଚାଳକ ଭାବରେ ନିଯୁକ୍ତ ଥିଲେ। ସେହି ସମୟରେ ସେ ଶାଖା ପରିଚାଳକ, ଦଲାଲ ଏବଂ ଅନ୍ୟମାନଙ୍କ ସହିତ ମିଶି ଜାଲ ଋଣ ମଞ୍ଜୁର କରିଥିଲେ। ସମସ୍ତ ଡକ୍ୟୁମେଣ୍ଟକୁ ଅରିଜିନାଲ ଦର୍ଶାଇ ୧୪୩ ଏକ୍ସପ୍ରେସ କ୍ରେଡିଟ୍‌ ଋଣ(୬.୨୨କୋଟି) ମଞ୍ଜୁର କରିଥିଲେ। ସେହିପରି ଚାରୁବାଳା ୨୦୨୨-୨୩ରେ ଭୁବନେଶ୍ୱରର ଡମଣା ସ୍କୋୟାର ଏସ୍‌ବିଆଇ ଶାଖାରେ ସେବା ପରିଚାଳିକା ଭାବେ କାର୍ଯ୍ୟ କରୁଥିବା ସମୟରେ ଷଡ଼ଯନ୍ତ୍ର କରି ଶାଖା ପରିଚାଳିକା ଥିବା ସରିତା ଓ ଅନ୍ୟମାନଙ୍କ ସହିତ ମିଶି ୩୦.୧୭ ଲକ୍ଷ ଟଙ୍କାର ଜାଲ ଏକ୍ସପ୍ରେସ ଋଣ ମଞ୍ଜୁର କରିଥିଲେ। ପରବର୍ତ୍ତୀ ସମୟରେ ଋଣ ବକେୟା ପରିଶୋଧ ନ ହେବାରୁ ବ୍ୟାଙ୍କ ପକ୍ଷରୁ ଏହି ଠକେଇର ଆଭ୍ୟନ୍ତରୀଣ ତଦନ୍ତ କରାଯାଇ ସମ୍ପୃକ୍ତ ବ୍ୟାଙ୍କ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା। କିନ୍ତୁ ନିଲମ୍ବନର କିଛିଦିନ ପରେ ସେମାନେ ପୁଣି ବ୍ୟାଙ୍କ୍‌ରେ ଯୋଗଦେଇଥିଲେ।

Breaking News