ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୂର୍ବତନ ଆଇଏଏସ୍ (IAS) ଏବଂ ସମାଜସେବୀ ସ୍ୱର୍ଗତ ଗୋପାଳ ପଟ୍ଟନାୟକଙ୍କ ସ୍ମୃତିରେ ଡିଏଭି ପବ୍ଲିକ୍ ସ୍କୁଲ, କଳିଙ୍ଗ ନଗରରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଆନ୍ତ-ବିଦ୍ୟାଳୟ ଇଂରାଜୀ ତର୍କ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଓଡିଶାର ୨୭ଟି ଡିଏଭି ବିଦ୍ୟାଳୟରୁ ୫୪ ଜଣ ପ୍ରତିଯୋଗୀ “ଯୁଦ୍ଧ ଏବଂ ଶାନ୍ତି” ବିଷୟବସ୍ତୁ ଉପରେ ଆଧାରିତ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ସଂଘର୍ଷ ଏବଂ ସମନ୍ୱୟ ସହ ଜଡିତ ଜଟିଳ ପ୍ରସଙ୍ଗଗୁଡିକ ଉପରେ ନିଜର ସୁନ୍ଦର ବାକ୍ଚାତୁରୀ ଏବଂ ଯୁକ୍ତି ଉପସ୍ଥାପନ କରିଥିଲେ । ବିଦ୍ୟାଳୟର ଚେୟାରମ୍ୟାନ ଡକ୍ଟର ଅରୁଣ କୁମାର ରଥ (ଅବସରପ୍ରାପ୍ତ ଆଇଏଏସ୍) ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ପ୍ରତିଯୋଗୀମାନଙ୍କର ଆତ୍ମବିଶ୍ୱାସକୁ ପ୍ରଶଂସା କରିଥିଲେ । ବିଚାରକ ମଣ୍ଡଳୀରେ ଜାଭିୟର୍ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ସଚ୍ଚିଦାନନ୍ଦ ପଣ୍ଡା ଏବଂ ଆଇଆଇଟି ଭୁବନେଶ୍ୱରର ଇଂରାଜୀ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଅମୃତା ଶତପଥୀ ଯୋଗ ଦେଇ ପ୍ରତିଯୋଗୀମାନଙ୍କର ଉଚ୍ଚକୋଟୀର ଯୁକ୍ତିକୁ ପ୍ରଶଂସା କରିଥିଲେ । ବିଷୟବସ୍ତୁର ବିପକ୍ଷରେ ଯୁକ୍ତି ଉପସ୍ଥାପନ କରି ଡିଏଭି କଳିଙ୍ଗ ନଗରର ଶ୍ରୀମାନ ମିଶ୍ର ଚାମ୍ପିଅନ୍ ଏବଂ ଡିଏଭି ଏନ ଟି ପି ସି / ଟି ଟି ପି ଏସ -ତାଳଚେର ଥର୍ମାଲର ସ୍ୱୟଂ ମିଶ୍ର ରନର୍ସ-ଅପ୍ ବିବେଚିତ ହୋଇଥିବା ବେଳେ ବିଷୟବସ୍ତୁର ସପକ୍ଷରେ ଯୁକ୍ତି ଉପସ୍ଥାପନ କରି ଡିଏଭି ଏନ ଟି ପି ସି, କଣିହାର ଏରୋଫିଲସିଟା ସାହୁ ଚାମ୍ପିଅନ୍ ଏବଂ ଡିଏଭି କଳିଙ୍ଗ ନଗରର ଅଭ୍ୟର୍ଥନା ସାମନ୍ତ ରନର୍ସ-ଅପ୍ ହୋଇଥିଲେ । ଏହି ପୁରସ୍କାର ବିତରଣ ଉତ୍ସବରେ ଚେୟାରମ୍ୟାନ ଡକ୍ଟର ଅରୁଣ କୁମାର ରଥ, ଡିଏଭି ଶିକ୍ଷାନୁଷ୍ଠାନ ଓଡିଶାର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର କେ.ସି. ଶତପଥୀ, ଆଞ୍ଚଳିକ ଅଧିକାରୀ ଡକ୍ଟର ସୁଜାତା ସାହୁ, ସହକାରୀ ଆଞ୍ଚଳିକ ଅଧିକାରୀ ଶ୍ରୀମତୀ ଇପସିତା ଦାସ ଏବଂ ଶ୍ରୀ ବିପିନ କୁମାର ସାହୁ, ଇଂ ଗୋପାଳ ପ୍ରସାଦ ରାୟ, ବିଚାରକ ବୃନ୍ଦ ପ୍ରମୁଖ ଉପସ୍ଥିତ ରହି ବିଜେତାମାନଙ୍କୁ ସମ୍ମାନିତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବଳରାମ ମହାପାତ୍ର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମାଲୋଚନାତ୍ମକ ଚିନ୍ତାଧାରା ଏବଂ ନୈତିକ ପ୍ରତିଫଳନକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି ମତ ବ୍ୟକ୍ତ କରିବା ସହ କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।






More Stories
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..
ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା…..