Report Card Odisha

| Daily Odia News

ଅକ୍ଟୋବର ସୁଦ୍ଧା ଏସଆଇ ପରୀକ୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଏସଆଇ ଆଶାୟୀଙ୍କ ପାଇଁ ଆସିଛି ବଡ଼ ଖବର। ପ୍ରଶ୍ନପତ୍ର ଲିକ୍ ଯୋଗୁଁ ବାତିଲ ହୋଇଥିବା ସବ୍-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପରୀକ୍ଷା ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଆୟୋଜନ କରାଯିବ ବୋଲି ଓଡ଼ିଶା ୟୁନିଫର୍ମ ଷ୍ଟାଫ୍ ସିଲେକ୍ସନ କମିଶନ (OUSSC)ର ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି। ସେ କହିଛନ୍ତି,ପ୍ରଶ୍ନପତ୍ର ଲିକ୍ କାରଣରୁ ବଞ୍ଚିତ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କୁ ପୁଣିଥରେ ପରୀକ୍ଷା ଦେବାର ସୁଯୋଗ ମିଳିବ। ଏହାସହ ବିଜ୍ଞପ୍ତି ପ୍ରକାଶ ପରେ ବୟସ ସୀମା ଅତିକ୍ରମ କରିଥିବା ଆଶାୟୀମାନେ ମଧ୍ୟ ଏହି ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ। ସିଲାବସ୍ କିମ୍ବା ପରୀକ୍ଷା ପଦ୍ଧତିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ, ଏଥର ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭାବେ ପରୀକ୍ଷା ପରିଚାଳନା କରିବାକୁ କମିଶନ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛି।ସେପଟେ, ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବକୁ ନେଇ ଏସଆଇ ଆଶାୟୀମାନେ ଭୁବନେଶ୍ୱରସ୍ଥିତ ଓଡ଼ିଶା ୟୁନିଫର୍ମ ଷ୍ଟାଫ୍ ସିଲେକ୍ସନ କମିଶନ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ପ୍ରାୟ ତିନି ମାସ ହେଲା କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ଥିଲେ ମଧ୍ୟ ସେଠାରେ ନାମଫଳକ ଲାଗିନଥିବା ଅଭିଯୋଗ କରି ଆଶାୟୀମାନେ ନିଜେ ଏକ ନାମଫଳକ ଲଗାଇ କଳା ଫିତା କାଟି ପ୍ରତୀକାତ୍ମକ ଭାବେ କାର୍ଯ୍ୟାଳୟର ଉଦ୍ଘାଟନ କରିଥିଲେ।

Breaking News