Report Card Odisha

| Daily Odia News

କଂଗ୍ରେସ ଉପରେ ବର୍ଷିଲେ ଶାହା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

‘ବନ୍ଦେ ମାତରମ୍‌’ ଗାନକୁ ନେଇ ପୁଣିଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ‘ବନ୍ଦେ ମାତରମ୍‌’ର ମାତ୍ର ୨ଟି ପଦ ଗାନ କରିବାକୁ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁସି) ନିଷ୍ପତି ନେବା ପରେ କଂଗ୍ରେସ ଉପରେ ବର୍ଷିଛନ୍ତି ଶାହା । କଂଗ୍ରେସ ଆଜି ମଧ୍ୟ ସେହି ତୁଷ୍ଟିକରଣ ରାଜନୀତିରେ ବିଶ୍ୱାସ ରଖୁଛି । କଂଗ୍ରେସର ଏଭଳିି ନିଷ୍ପତି ଯୋଗୁ ଅତୀତରେ ଦେଶ ବିଭାଜିତ ହୋଇଥିଲା । ତଥାପି ଦଳ ଏଥିରୁ କିଛି ଶିଖିଲାନି ବୋଲି ସେ ସିଧାସଳଖ କଂଗ୍ରେସ ନେତାମାନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ।ଶ୍ରୀ ଶାହା କହିଛନ୍ତି, ‘ମୁସଲମାନ ସନ୍ତୁଷ୍ଟିକରଣ ପାଇଁ କଂଗ୍ରେସ ୧୯୩୭ ମସିହାରେ ବନ୍ଦେ ମାତରମ୍ ପରି ଏକ ପବିତ୍ର ଗାନକୁ ଏଭଳି ଭାଗ ଭାଗ କରି ମାତ୍ର ଦୁଇପଦ ଗାନ କରିବାକୁ ନିଷ୍ପତି ନେଇଥିଲା, ଯାହା ପରବର୍ତୀ ସମୟରେ ଭାରତ ଇତିହାସରେ ଏକ କଳଙ୍କିତ ଫର୍ଦ୍ଦ, ଅର୍ଥାତ ଭାରତ ବିଭାଜନର କାରଣ ପାଲଟିଲା । କଂଗ୍ରେସର ଏଭଳି ଦୋମୁହାଁ ନୀତି ହିଁ ପରବର୍ତୀ ସମୟରେ ପାକିସ୍ତାନ ଗଠନ ଦିଗରେ ବାଟ ଫିଟାଇଥିଲା ।’ ଶ୍ରୀ ଶାହା ଆହୁରି ମଧ୍ୟ କହିଛନ୍ତି ବର୍ତମାନ ଏହି ମହାନ ଗାନ ୧୫୦ ବର୍ଷରେ ଉପନୀତ ହୋଇଛି । ସରକାରୀ କାର୍ଯ୍ୟକ୍ରମଗୁଡିକରେ ଗାନଟିକୁ ସମ୍ପୂର୍ଣ୍ଣ ଆବୃତି ମାଧ୍ୟମରେ ଜାତୀୟ ସଂହତି ପ୍ରତିଷ୍ଠା ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଉଦ୍ୟମ କରୁଥିବା ବେଳେ କଂଗ୍ରେସର ଏପରି ନିଷ୍ପତି ନିଶ୍ଚିତ ଦୁର୍ଭାଗ୍ୟଜନକ ।ସୂଚନାଯୋଗ୍ୟ ଯେ, ଗତ ବୁଧବାର କଂଗ୍ରେସ ୱାର୍କିଂ କମିଟି ବୈଠକରେ ସଂପୂର୍ଣ୍ଣ ‘ବନ୍ଦେ ମାତରମ’ଗାନ ବଦଳରେ କେବଳ ଦୁଇଟି ପଦ ଗାନ କରିବାକୁ ନିଷ୍ପତି ହୋଇଥିଲା । ଦଳର ଏହି ନିଷ୍ପତି ସଂପର୍କରେ ସୂଚନା ଦେବାକୁ ଯାଇ କଂଗ୍ରେସ ଏମପି କେ.ସି. ଭେନୁଗୋପାଳ କହିଥିଲେ, ବନ୍ଦେ ମାତରମ୍‌ର କେବଳ ଦୁଇଟି ପଦ ଗାନ କରିବାକୁ ୧୯୩୭ ମସିହାରେ ଜାତିର ଜନକ ମହାତ୍ମା ଗାନ୍ଧୀ, ଜୱାହରଲାଲ ନେହେରୁ ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନିଷ୍ପତି ନେଇଥିଲେ । କଂଗ୍ରେସ ଆଜି ମଧ୍ୟ ସେହି ମହାନ ଜନନାୟକମାନଙ୍କ ନିଷ୍ପତିକୁ ଅନୁଶରଣ କରି କେବଳ ଦୁଇପଦ ହିଁ ଗାନ କରିବାକୁ ନିଷ୍ପତି ନେଇଛି ।

Breaking News