ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ବିଶ୍ୱରେ ଚିନିର ସବୁଠାରୁ ବଡ଼ ଉପଭୋକ୍ତା। ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଗଣେଶ ଚତୁର୍ଥୀ, ଦଶହରା ଏବଂ ଦୀପାବଳି ଭଳି ପର୍ବପର୍ବାଣୀ ଯୋଗୁ ଚିନିର ଚାହିଦା ବଢ଼ିଯାଏ। ଚିନିର ବଢ଼ୁଥିବା ଦର ଏବଂ ପର୍ବପର୍ବାଣୀ ସମୟରେ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଚିନି ମହଜୁଦ ରଖିବା ନିୟମକୁ ଆହୁରି କଡ଼ା କରିଛନ୍ତି। ଏବେ ମାସକୁ ୧୦ ମେଟ୍ରିକ ଟନ୍ରୁ ଅଧିକ ଚିନି ବ୍ୟବହାର କିମ୍ବା ବ୍ୟବସାୟ କରୁଥିବା ଡିଲରମାନେ ୧୫ ଦିନରୁ ଅଧିକ ସମୟ ପାଇଁ ଚିନି ମହଜୁଦ ରଖିପାରିବେ ନାହିଁ। ନୂଆ ନିୟମ ସେପ୍ଟେମ୍ବର ୧ରୁ ଲାଗୁ ହେବ ଏବଂ ନଭେମ୍ବର ୩୦ ପର୍ଯ୍ୟନ୍ତ ଜାରି ରହିବ। ବଜାରରେ ଚିନିର ଉପଲବ୍ଧତା ବଢ଼ାଇବା ଏବଂ ଦର ନିୟନ୍ତ୍ରଣରେ ରଖିବା ଉଦ୍ଦେଶ୍ୟରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ପର୍ବପର୍ବାଣୀ ସମୟରେ ଘରୋଇ ଚାହିଦା ବ୍ୟତୀତ ବିସ୍କୁଟ, ମିଠା ଏବଂ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀମାନେ ମଧ୍ୟ ଅଧିକ ପରିମାଣରେ ଚିନି କିଣନ୍ତି। ଏଭଳି ସ୍ଥିତିରେ ବଜାରରେ ପର୍ଯ୍ୟାପ୍ତ ଚିନି ଉପଲବ୍ଧ ରହିବା ସହ ମହଜୁଦଦାରୀ ଯୋଗୁ ଦର ଯେପରି ଅଧିକ ବଢ଼ି ନଯାଏ, ସେଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାର ଗତ ମାସରେ ହିଁ ବ୍ୟବସାୟୀମାନଙ୍କ ପାଇଁ ଚିନି ମହଜୁଦ ରଖିବାର ସୀମା ୩୦ ଦିନକୁ ହ୍ରାସ କରିଥିଲେ। କିନ୍ତୁ ଏହା ସତ୍ତ୍ୱେ ଚିନିର ଦର ବୃଦ୍ଧି ଜାରି ରହିଥିଲା। ଏବେ ସରକାର ଏହି ସମୟସୀମାକୁ ଆହୁରି କମାଇ ମାତ୍ର ୧୫ ଦିନ କରିଛନ୍ତି। ଏହି ନିୟମ ଥୋକ ବ୍ୟବସାୟୀ ଏବଂ ବଡ଼ କ୍ରେତାମାନଙ୍କ ପାଖରେ ଆବଶ୍ୟକତାଠାରୁ ଅଧିକ ଚିନି ମହଜୁଦ ହେବାକୁ ରୋକିବାରେ ସହାୟକ ହୋଇପାରେ।






More Stories
ଜେଲ୍ ଗଲେ ସତ୍ୟେନ୍ଦ୍ର…..
ବଡ଼ ଗେମ୍ ଖେଳିବ କଂଗ୍ରେସ!…..
ନିର୍ବାଚନରେ ଜିତିଲେ ଦିଦି;ଭାଜପା ଚିତ୍ପଟାଙ୍ଗ…..