ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। କିନ୍ତୁ, ୨୭ ତାରିଖରୁ ଉତ୍ତର ଓଡ଼ିଶାର କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ୨୮ରୁ ବର୍ଷା ପରିମାଣ ଓ ବିସ୍ତୃତ ବୃଦ୍ଧି ପାଇବ। ଉତ୍ତର ଓଡ଼ିଶା ସହ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ସୁନ୍ଦରଗଡ଼, ଦେବଗଡ଼ ଏବଂ ଅନୁଗୋଳ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ଅପରପକ୍ଷେ, ଝାଡ଼ଖଣ୍ଡ ଉପରେ ଲଘୁଚାପ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ଏବେ ଝାଡ଼ଖଣ୍ଡ ରାଜ୍ୟରେ ମଧ୍ୟମଧରଣର ବର୍ଷା ଲାଗି ରହିଛି। କିନ୍ତୁ ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗର ଅବବାହିକା ବିଶେଷ ବର୍ଷା ନାହିଁ। ୨୭ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଉତ୍ତର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ୨୯ କିମ୍ବା ୩୦ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ପାଣିପାଗ ବିଶେଷଜ୍ଞ ବିଶ୍ବଜିତ୍ ସାହୁ କହିଛନ୍ତି, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ମଧ୍ୟ ଭଲ ବର୍ଷା ହେବ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ଗତ ୨୪ ଘଣ୍ଟାରେ ବଲାଙ୍ଗିରରେ ସବୁଠୁ ଅଧିକ ୧୦୧ମି.ମି ବର୍ଷା ହୋଇଥିବା ବେଳେ ବରଗଡ଼ରେ ୯୫.୮ମି.ମି, ଦେବଗଡ଼ରେ ୩୫ମି.ମି, ବୌଦ୍ଧରେ ୩୦ମି.ମି, ମାଲକାନଗିରିରେ ୩୬ମି.ମି ବର୍ଷା ହୋଇଛି। ମଙ୍ଗଳବାର ଅପରାହ୍ଣରେ ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି।






More Stories
ସଞ୍ଜୟ ବିଶ୍ୱାଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ……
କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ…..
ମା’ଙ୍କୁ ମାରି ପ୍ଲାଷ୍ଟର କରିଦେଲା ପୁଅ !…..