ରିପୋର୍ଟ କାର୍ଡ / ଭୁବନେଶ୍ୱର
ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍) ପ୍ରକ୍ରିୟାରେ ବାଦ୍ ପଡ଼ିଥିବା ଓ ଯୁବ ଭୋଟର୍ଙ୍କୁ ଭୋଟର୍ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବୁଧବାର ଠାରୁ ୯ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ରାଜ୍ୟବ୍ୟାପୀ ସ୍ବତନ୍ତ୍ର ଅଭିଯାନ ଅନୁଷ୍ଠିତ ହେବ। ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ, ୨୦୨୬ ଅକ୍ଟୋବର ୧ ସୁଦ୍ଧା ୧୮ବର୍ଷ ବୟସ ପୂରଣ କରିଥିବା ଯୁବକ-ଯୁବତୀ ଭୋଟର୍ ତାଲିକାରେ ନିଜ ନାମ ସାମିଲ କରିବା ପାଇଁ ଆବେଦନ କରିପାରିବେ। ଯୋଗ୍ୟ ଯୁବ ଭୋଟର୍ମାନେ ଫର୍ମ-୬ ମାଧ୍ୟମରେ ନାମ ପଞ୍ଜୀକରଣ ପାଇଁ ନିଜ ବୁଥସ୍ତରୀୟ ଅଧିକାରୀଙ୍କ ନିକଟରେ ଆବେଦନ କରିପାରିବେ। ଯେଉଁ ଭୋଟର୍ଙ୍କ ନାମ କୌଣସି କାରଣରୁ ଚୂଡ଼ାନ୍ତ ଭୋଟର୍ ତାଲିକାରେ ସାମିଲ ହୋଇପାରିନାହିଁ, ସେମାନେ ମଧ୍ୟ ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ନିଜ ନାମ ଯୋଡ଼ିବା ପାଇଁ ଆବେଦନ କରିପାରିବେ। ଏହାସହ ଏସଆଇଆର୍ ପ୍ରକ୍ରିୟାରେ ଚିହ୍ନଟ ହୋଇଥିବା ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଦୋହରା ଭୋଟରମାନଙ୍କ ତାଲିକା ସମ୍ପୃକ୍ତ ଜିଲା ଏବଂ ସିଇଓଙ୍କ ୱେବସାଇଟ୍ରେ ଉପଲବ୍ଧ କରାଯିବ। ଏହି ତାଲିକା ସମ୍ପର୍କରେ ଆବଶ୍ୟକ ଯାଞ୍ଚ ଓ ଯଦି କୌଣସି ଯୋଗ୍ୟ ଭୋଟରଙ୍କ ନାମ ଭୁଲବଶତଃ ଏଥିରେ ବାଦ୍ ପଡ଼ିଥାଏ, ତାହା ସମ୍ପର୍କରେ ଦାବି ଓ ଆପତ୍ତି ଦାଖଲ କରିବା ପାଇଁ ସୁଯୋଗ ରହିବ। ଏହି ତାଲିକା ସମସ୍ତ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ମଧ୍ୟ ଦିଆଯିବ। ରାଜନୈତିକ ଦଳର ପ୍ରତିନିଧିମାନେ ତାଲିକାକୁ ଯାଞ୍ଚ କରି ଆବଶ୍ୟକ ଦାବି ଓ ଆପତ୍ତି ଦାଖଲ କରିପାରିବେ।






More Stories
IAS ସ୍ତରରେ ଅଦଳବଦଳ…..
ଝଡବର୍ଷା ସମ୍ଭାବନା…..
ଡିଇଏଲ୍ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍ଡେଟ୍…..