Report Card Odisha

| Daily Odia News

ରାଜ୍ୟର ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ୬୩,୩୦୩ ପ୍ରାଥମିକ ଶିକ୍ଷକଙ୍କୁ ମିଳିବ ପଦୋନ୍ନତି । ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଗୁଣାତ୍ମକ ଶିକ୍ଷା କାର୍ଯ୍ୟକ୍ରମ ର ସଫଳତା ରେ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହା ଖୁସି ଖବର । ଏହାଦ୍ୱାରା ରାଜ୍ୟର ୬୩ହଜାର ୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇବେ । ଏଥିସହ ଉଚ୍ଚ ପ୍ରାଥମିକସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ଏବଂ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକସ୍ତରରେ ପ୍ରଧାନ ଶିକ୍ଷକ ପଦବୀଗୁଡିକ ମଧ୍ୟ ପୂରଣ ହୋଇପାରିବ । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନସ୍ତରରେ ଶିକ୍ଷକ ଅଭାବ ପୂରଣ ହେବା ଦ୍ୱାରା ପ୍ରାଥମିକ ବିଦ୍ୟାଳୟଗୁଡିକର ପରିଚାଳନାରେ ଉନ୍ନତି ଆସିବ । ଶୈକ୍ଷିକ ପରିବେଶରେ ମଧ୍ୟ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ୫(ଏ) ସ୍ତରରେ ଥିବା ୨୯ହଜାର ୭୫୯ ଜଣ ସହକାରୀ ଶିକ୍ଷକ ୫(ବି) ସ୍ତରକୁ ପଦୋନ୍ନତି ପାଇବେ । ୫(ବି) ସ୍ତରରେ ଥିବା ୨୯ହଜାର ୭୫୯ ଜଣ ବରିଷ୍ଠ ଶିକ୍ଷକ ତୁରନ୍ତ ଲେଭେଲ-୪ କୁ ପଦୋନ୍ନତି ପାଇବେ । ଏହାସହିତ ଲେଭେଲ ଓଠରେ ଥିବା ୩୭୮୫ ଜଣ ପ୍ରଧାନ ଶିକ୍ଷକ ସେପ୍ଟେମ୍ବର ମାସ ସୁଦ୍ଧା ଲେଭେଲ-୩ କୁ ପଦୋନ୍ନତି ପାଇବେ । ଲେଭେଲ ୫(ବି) ରେ ଥିବା ସହକାରୀ ଶିକ୍ଷକଙ୍କ ପାଇଁ ରେସିଡେନ୍ସୀ ପିରିଅଡକୁ ଏକ ବର୍ଷରୁ ୬ ମାସ କରାଯାଇଥିବା ବେଳେ ଲେଭେଲ-୪ ରୁ ଲେଭେଲ-୩ କୁ ପଦୋନ୍ନତି ପାଇବା ପାଇଁ ରେସିଡେନ୍ସୀ ପିରିୟଡର ସୀମା ୨ ବର୍ଷରୁ ୧ ବର୍ଷ କରାଯାଇଛି । ୨୦୧୯ରେ ପ୍ରାଥମିକ ଶିକ୍ଷକଙ୍କ କ୍ୟାଡରର ପୁନର୍ଗଠନ କରାଯାଇ ଲେଭେଲ-୪ ରେ ୨୧,୪୬୩ ଶିକ୍ଷକ ପଦବୀ ସ୍ଥାନରେ ୫୧,୧୬୪ ଟି ପଦବୀ ସୃଷ୍ଟି କରାଯାଇଥିଲା । ଲେଭେଲ-୩ ରେ ଥିବା ୯୩୦୫ଟି ପଦବୀ ସ୍ଥାନରେ ୧୮,୭୬୯ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଥିଲା ।

Breaking News