ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନର ଶାସନ ବ୍ୟବସ୍ଥା ନିଜ ନିୟନ୍ତ୍ରଣକୁନେବା ପରେ ତାଲିବାନ ଏବେ ବିରୋଧୀଙ୍କ ଆଡକୁ ଅଗ୍ରସର ହେଉଛି | ଆରମ୍ଭ କରିଛି ଦମନ ପ୍ରକ୍ରିୟା । ପୂର୍ବ ସରକାରକୁ ହାୟତା କରୁଥିବା ଲୋକଙ୍କୁ ଟାର୍ଗେଟ୍ କରି ତାଲିବାନ ଆତଙ୍କବାଦୀମାନେ ଘରକୁ ଘର ବୁଲୁଛନ୍ତି। ସେମାନଙ୍କୁ ଠାବ କରିବା ମାତ୍ରେ ଆତଙ୍କବାଦୀମାନେ କୌଣସି ଅଜ୍ଞାତ ସ୍ଥାନକୁ ନେଇ ହତ୍ୟା କରୁଛନ୍ତି କିମ୍ବା ବନ୍ଦୀ ଶିବିରକୁ ନେଉଛନ୍ତି। ଆମେରିକା ଏବଂ ନାଟୋ ବାହିନୀ ସହ କାର୍ଯ୍ୟ କରୁଥିବା ଆଫଗାନ୍ ଅଧିକାରୀଙ୍କୁ ତାଲିବାନ୍ମାନେ ଏବେ ସବୁ ଅଂଚଳରେ ଖୋଜିବା ଆରମ୍ଭ କରିଦେଇଥିବାରୁ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି। ତାଲିବାନ୍ମାନେ ଘରକୁ ଘର ବୁଲି ସେମାନଙ୍କ ପରିବାର ସଦସ୍ୟଙ୍କୁ ଧମକ ଦେଉଛନ୍ତି। ଜାତିସଂଘର ଏକ ଗୁଇନ୍ଦା ରିପୋର୍ଟରୁ ଏହା ଜଣାପଡ଼ିଛି। ତାଲିବାନ୍ ଟାର୍ଗେଟ୍ରେ ପୂର୍ବ ସେନା, ପୋଲିସ ଏବଂ ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ହଜାର ହଜାର ଲୋକ ରହିଥିବା ଜଣାପଡ଼ିଛି। ସେମାନେ ତୁରନ୍ତ ଆତ୍ମସମର୍ପଣ ନକଲେ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଦଣ୍ଡିତ କରାଯିବ ଏବଂ ବିଚାରଣ ଜାରି ରହିବ ବୋଲି ତାଲିବାନ ଘୋଷଣା କରିଛି। ତାଲିବାନ୍ ହିଟଲିଷ୍ଟ୍ରେ ଯେଉଁମାନେ ଅଛନ୍ତି ସେମାନଙ୍କ ପରିବାର ଏବେ ଖୁବ୍ ବିପଦରେ ଅଛନ୍ତି ବୋଲି ଜାତିସଂଘ ରିପୋର୍ଟରେ କୁହାଯାଇଛି। ଯେଉଁ ଅଧିକାରୀ, ପୋଲିସ କର୍ମଚାରୀ ଏବଂ ଖବରଦାତାଙ୍କୁ ତାଲିବାନ ଅଟକ ରଖିଛି ସେମାନଙ୍କୁ ଗଣଫାଶୀ ଦିଆଯାଇପାରେ ବୋଲି ସୂଚନା ମିଳିଛି। ପୂର୍ବତନ ରାଷ୍ଟ୍ରପତି ଅସରଫ୍ ଘନିଙ୍କ ସହ ଯେଉଁମାନେ କାର୍ଯ୍ୟ କରୁଥିଲେ ସେମାନଙ୍କ ମଧ୍ୟରୁ ଅନେକ ଆତ୍ମଗୋପନ କରିଛନ୍ତି। ସମସ୍ତଙ୍କୁ ଠାବ କରି ଫାଶୀ ଖୁଣ୍ଟରେ ଝୁଲାଇବାକୁ ତାଲିବାନ ଯୋଜନା କରୁଥିବାରୁ ଆଗକୁ ଭୟାନକ ସ୍ଥିତି ଆସିବ ବୋଲି ଆଶଙ୍କା କରାଯାଉଛି। ଉଲ୍ଲେଖ ଯୋଗ୍ୟ- ତାଲିବାନ୍ ଆତଙ୍କବାଦୀମାନେ ଆଫଗାନିସ୍ତାନରେ ଆଜି ଜର୍ମାନୀର ଜଣେ ବରିଷ୍ଠ ସାମ୍ବାଦିକଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରିଛନ୍ତି। ତାଲିବାନ ଆତଙ୍କବାଦୀ ପୂର୍ବତନ ପୋଲିସ ମୁଖ୍ୟ ହାଜିମୁଲ୍ଲା ଅଚକଜାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ହେରାତ ନିକଟରେ ତାଙ୍କୁ ହତ୍ୟା କରାଯାଇଛି। ଯାହାର ଭିଡ଼ିଓ ସୋସିଆଲ ମେଡିଆରେ ଭାଇରଲ ହେଉଛି |
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..