ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନର ପଞ୍ଜଶୀରରେ ରେଜିଷ୍ଟେନ୍ସ ଫୋର୍ସ ଏବଂ ତାଲିବାନ ମଧ୍ୟରେ ଜାରିଛି ଘମାଘୋଟ ଲଢେଇ । କିନ୍ତୁ ବର୍ତ୍ତମାନ ଦୁର୍ବଳ ହେବାରେ ଲାଗିଛି ଜାତୀୟ ପ୍ରତିରୋଧ ବାହିନୀ (NRF) । ଗଣମାଧ୍ୟମ ରିପୋର୍ଟ ଅନୁସାରେ- ତାଲିବାନ ସାମ୍ନାରେ ଯୁଦ୍ଧ ବନ୍ଦ କରିବାକୁ ଏନଆରଏଫ ମୁଖ୍ୟ ଅହମ୍ମଦ ମାସୁଦ ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ ସେ ପଞ୍ଜଶୀର ଏବଂ ଅନ୍ଦାରାବରେ ତାଲିବାନ ଆକ୍ରମଣକୁ ରୋକିବା ପାଇଁ ସର୍ତ୍ତ ରଖିଛନ୍ତି । ଏହି ସମୟରେ ମିଳିତ ଜାତିସଂଘ ମଧ୍ୟ ଆଫଗାନିସ୍ତାନକୁ ସମର୍ଥନ ଜାରି ରଖିଥିବା ନେଇ ଘୋଷଣା କରିଛି । ସୂଚନା ଥାଉକି, ତାଲିବାନ ସରକାର ଗଠନ ପୂର୍ବରୁ ତାଲିବାନର ମୁଖ୍ୟ ବରାଦାର କାବୁଲରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଜାତିସଂଘର ମାନବ ସମ୍ବଳ ବିଭାଗର ଅଣ୍ଡର ସେକ୍ରେଟେରୀ ଜେନେରାଲ ମାର୍ଟିନ ଗ୍ରିଫିଥ୍ସଙ୍କୁ ଭେଟିଥିଲେ । ବୈଠକ ପରେ ତାଲିବାନ ମୁଖପାତ୍ର ମହମ୍ମଦ ନାଏମ ଟ୍ୱିଟ କରି କହିଛନ୍ତି ଯେ ଆଫଗାନିସ୍ତାନ ସହ ମିଳିତ ଜାତିସଂଘ ଏହାର ସମର୍ଥନ ଏବଂ ସହଯୋଗ ଜାରି ରଖିବ । ଏଥି ସହିତ ମାର୍ଟିନ୍ ଗ୍ରିଫିଥସ୍ ଟ୍ୱିଟ୍ କରି କହିଛନ୍ତି ଯେ ଆଫଗାନିସ୍ତାନରେ ଆବଶ୍ୟକ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ନିରପେକ୍ଷ ମାନବିକ ସହାୟତା ଏବଂ ନିରାପତ୍ତା ଯୋଗାଇଦେବା ପାଇଁ ଜାତିସଂଘର ପ୍ରତିବଦ୍ଧତାକୁ ନିଶ୍ଚିତ କରିବାକୁ ମୁଁ ତାଲିବାନର ନେତୃତ୍ୱଙ୍କ ସହ ସାକ୍ଷାତ କରିଛି । ଏଥି ସହିତ ତାଲିବାନ ଆଫଗାନିସ୍ତାନରେ ଏକ ନୂତନ ସରକାର ଗଠନକୁ ଆସନ୍ତା ସପ୍ତାହକୁ ସ୍ଥଗିତ ରଖିଛି । ଉଗ୍ରବାଦୀ ସଂଗଠନର ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ ଶନିବାର ଏହି ସୂଚନା ଦେଇଛନ୍ତି । ତାଲିବାନ ଏକ ସରକାର ଗଠନ କରିବାକୁ ଚାହୁଁଛି ଯାହା ଅନ୍ତର୍ଜାତୀୟ ସମୁଦାୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇପାରିବ ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..