Report Card Odisha

| Daily Odia News

ଏଣିକି NEET ପରୀକ୍ଷା ନ ଦେଇ ଡାକ୍ତରୀ ପଢ଼ି ପାରିବେ ପିଲା……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏନ୍‌ଇଇଟି ନ ଦେଇ ସିଧାସଳଖ ଡାକ୍ତରୀ ପାଠ ପଢ଼ିବା ପାଇଁ ତାମିଲନାଡୁ ସରକାର ସୋମବାର ବିଧାନସଭାରେ ଏକ ବିଲ୍‌ ଆଣିଛନ୍ତି। ଉକ୍ତ ବିଲ୍‌ ଅନୁଯାୟୀ ଜଣେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ରଖିଥିବା ନମ୍ବର ଆଧାରରେ ମେଡିସିନ୍‌, ଡେଣ୍ଟିଷ୍ଟ୍ରି, ହୋମିଓପାଥି ଅଣ୍ଡରଗ୍ରାଜୁଏଟ୍‌ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ। ନାମଲେଖାରେ ସରକାରୀ ସ୍କୁଲ୍‌ ପିଲାଙ୍କ ପାଇଁ ୭.୫ ପ୍ରତିଶତ ସିଟ୍‌ ସଂରକ୍ଷିତ ରହିବ। ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଉକ୍ତ ବିଲ୍‌ ଆଗତ କରିଥିବାବେଳେ ମୁଖ୍ୟ ବିରୋଧୀ ଦଳ ଏଆଇଏଡିଏମ୍‌କେ, ଏହାର ସହଯୋଗୀ ପିଏମ୍‌କେ, କଂଗ୍ରେସ ସମେତ ସବୁ ବିରୋଧୀ ଦଳ ଏହାକୁ ସମର୍ଥନ କରିଥିଲେ। ଭାଜପା ସଦସ୍ୟମାନେ ବିଲ୍‌କୁ ବିରୋଧକରି କକ୍ଷତ୍ୟାଗ କରିଥିଲେ। ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏ.କେ. ରାଜନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିସ୍‌ ଆଧାରରେ ଉକ୍ତ ବିଲ୍‌ ପ୍ରସ୍ତୁତ ହୋଇଥିଲା। କମିଟି ମେଡିକାଲ ଶିକ୍ଷା ସହ ସମ୍ପୃକ୍ତ ବିଭିନ୍ନ ବର୍ଗରୁ ୮୬,୦୦୦ ଲୋକଙ୍କ ମତାମତ ସଂଗ୍ରହ କରି ରିପୋର୍ଟ ପ୍ରସ୍ତୁତ କରିଥିଲା। ଅଧିକାଂଶ ଏନ୍‌ଇଇଟି ଚାହାନ୍ତି ନାହିଁ ବୋଲି ମତ ଦେଇଥିଲେ। ଉକ୍ତ କମିଟିର ସୁପାରିସକୁ ବିଚାରକୁ ନେଇ ସମସ୍ତଙ୍କୁ ସାମାଜିକ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାର ଏନ୍‌ଇଇଟି ଉଚ୍ଛେଦ ପାଇଁ ନିଷ୍ପତ୍ତି ନେଇଥିବା ଷ୍ଟାଲିନ୍‌ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ଏନ୍‌ଇଇଟି ଯୋଗୁ ଏମ୍‌ବିବିଏସ୍‌ ଏବଂ ଅନ୍ୟ ଉଚ୍ଚତର ଡାକ୍ତରୀ ପାଠ୍ୟକ୍ରମରେ ସମାଜର ସବୁ ବର୍ଗର ପିଲାଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳୁନାହିଁ। ସମାଜର ପ୍ରଭାବଶାଳୀ ଏବଂ ପଇସାବାଲା ଲୋକେ ଏଥିରୁ ଫାଇଦା ଉଠାଉଥିବାବେଳେ ଅବହେଳିତ ବର୍ଗଙ୍କ ସ୍ବପ୍ନ ଅଧୁରା ରହୁଛି ବୋଲି କମିଟି ରିପୋର୍ଟରେ ଦର୍ଶାଇଥିଲା। ରବିବାର ଏନ୍‌ଇଇଟି-ୟୁଜି ପରୀକ୍ଷା ପୂର୍ବରୁ ଜଣେ ୧୯ ବର୍ଷୀୟ ମେଡିକାଲ ଶିକ୍ଷା ପ୍ରତ୍ୟାଶୀ ଆତ୍ମହତ୍ୟା କରିବା ପରେ ଏହାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାକୁ ନେଇ ମୁଖ୍ୟ ବିରୋଧୀ ଦଳ ଏଆଇଏଡିଏମ୍‌କେ ସରକାରଙ୍କୁ ଦୋଷାରୋପ କରିଥିଲା। ଡିଏମ୍‌କେ କ୍ଷମତାକୁ ଆସିଲେ ଏନ୍‌ଇଇଟି ବାତିଲ ହେବ ବୋଲି ଷ୍ଟାଲିନ୍‌ ପ୍ରତିଶ୍ରୁତି ଦେଇଥିଲେ। ହେଲେ ସରକାର ଏପର୍ଯ୍ୟନ୍ତ ଉପଯୁକ୍ତ ନିଷ୍ପତ୍ତି ନେବାରେ ବିଫଳ ହୋଇଥିବାରୁ ଛାତ୍ରୀଛାତ୍ର ଓ ଅଭିଭାବକ ଅସହାୟ ହୋଇପଡ଼ିଛନ୍ତି ବୋଲି ବିରୋଧୀ ଦଳ ନେତା ଇ.କେ. ପଲାନିସ୍ବାମୀ ଅଭିଯୋଗ କରିଥିଲେ।

Breaking News