ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଖୋଲା ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ ସଙ୍ଗଠନ | କହିଛି କି ଆମେରିକାରେ ମୋଦୀଙ୍କୁ ନିଶ୍ଚିନ୍ତରେ ଶୁଆଇ ଦେବେ ନାହିଁ ବୋଲି ଖଲିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ‘ଶିଖ୍ସ୍ ଫର୍ ଜଷ୍ଟିସ୍’ (ଏସ୍ଏଫ୍ଜେ) ପ୍ରତିଜ୍ଞା କରି କହିଛି। ‘କ୍ବାଡ୍ ଲିଡର୍ସ ସମିଟ୍’ ଏବଂ ‘ୟୁନାଇଟେଡ୍ ନେସନ୍ସ୍ ଜେନେରାଲ୍ ଆସେମ୍ବ୍ଲି’ର (ୟୁଏନ୍ଜିଏ) ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ସମୟରେ ହ୍ବାଇଟ୍ ହାଉସ୍ ବାହାରେ ପ୍ରତିବାଦ ପାଇଁ ଯୋଜନା କରୁଥିବା କଥା ମଧ୍ୟ ‘ଏସ୍ଏଫ୍ଜେ’ କହିଛି। ‘କୃଷକମାନଙ୍କ ପ୍ରତି ହିଂସା ଆଚରଣ’ ପ୍ରଦର୍ଶନ ଯୋଗୁଁ ପ୍ରତିବାଦ କରାଯିବ ବୋଲି ଉକ୍ତ ଆତଙ୍କବାଦୀ ସଙ୍ଗଠନ କହିଛି। ‘ଏସ୍ଏଫ୍ଜେ’ର ଜେନେରାଲ୍ କାଉନ୍ସେଲ୍ ଗୁରପତୱନ୍ତ ସିଂହ କହିଛନ୍ତି ଯେ, ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନିଦ୍ରା ରହି ରାତି କାଟିବାକୁ ପଡ଼ିବ। ଏଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି। ନିରାପତ୍ତା ସୂତ୍ରରୁ ଜଣାପଡ଼ିଛି ଯେ, ‘ଏସ୍ଏଫ୍ଜେ’ର ଏତେ ଟାଣପଣ ନାହିଁ। ସେମାନଙ୍କ ‘ହ୍ବାଟ୍ସ୍ଆପ୍ ଗ୍ରୁପ୍’ର ଅଧିକାଂଶ ପ୍ରଚାର ଉଦ୍ଦେଶ୍ୟରେ କରାଯାଇଛି। ସେଥିରେ କେତେଜଣ ପାକିସ୍ତାନୀ ସଦସ୍ୟ ବିଶେଷକରି, ‘ଆଇଏସ୍ଆଇ’ ଏଜେଣ୍ଟ୍ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ପ୍ରତିବାଦ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ ସେମାନେ ସ୍ବଳ୍ପସଂଖ୍ୟକ ଲୋକ ଯୋଗାଡ଼ କରିବାକୁ ଅସମର୍ଥ। କିଛି ବର୍ଷ ତଳୁ ‘ଏସ୍ଏଫ୍ଜେ’ ଆପତ୍ତିଜନକ ଆଲେଖ୍ୟ ଅପ୍ଲୋଡ୍ କରିବା ସହ ‘ଡାର୍କ ୱେବ୍’ରେ ‘ୱେବ୍ସାଇଟ୍’ ସବୁ ଖୋଲିଛି। ସେଥିରୁ କେତେଗୁଡ଼ିଏ ୱେବ୍ସାଇଟ୍ ପ୍ରସାରିତ ହେବା ମାତ୍ରେ ବନ୍ଦ କରାଇ ଦିଆଯାଇଛି। ଆର୍ଥିକ ପ୍ରଲୋଭନ ଦେଖାଇ ସେମାନେ କୃଷମାନଙ୍କୁ ପ୍ରତିବାଦ ଏବଂ ବିଦେଶରେ ନାଗରିକତ୍ବ ଦେବାକୁ ପ୍ରତିଶ୍ରୁତି ଦେଇ ଯୁବବର୍ଗଙ୍କୁ ସେମାନେ ଭାରତ-ବିରୋଧୀ କାର୍ଯ୍ୟକଳାପ କରିବା ଲାଗି ଉତ୍ସାହ ଦେଉଛନ୍ତି। ‘ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ’ ବଳରେ ୨୦୧୯ ଜୁଲାଇ ୧୦ ତାରିଖ ଦିନ ଭାରତ ସରକାର ‘ଶିଖ୍ସ୍ ଫର୍ ଜଷ୍ଟିସ୍’କୁ ନିଷିଦ୍ଧ କରିଥିଲେ। ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୪ରେ ଆୟୋଜନ କରାଯାଇଥିବା ‘କ୍ବାଡ୍’ ଶିଖର ବୈଠକରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରିବେ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..