ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓ୍ବେଲ୍ଫେୟାର ଚିଟ୍ପଣ୍ଡ୍ ଠକେଇ ମାମଲାରେ ଗିରଫ ହୋଇ ୩ ଦିନିଆ ରିମାଣ୍ଡରେ ଥିବା ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକ ମାଲ୍ଲା ବିଜୟ ପ୍ରସାଦଙ୍କ ଓଡ଼ିଶା ଲିଙ୍କ୍ର ପର୍ଦାଫାଶ ହୋଇଛି । କ୍ରାଇମ୍ବ୍ରାଞ୍ଚ ଇଓଡବ୍ଲ୍ୟୁ ତାଙ୍କୁ ପଚରାଉଚରା ଜାରି ରଖିଛି। ତେବେ ଜେରା ସମୟରେ ତାଙ୍କଠୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଇଓଡବ୍ଲ୍ୟୁ ଏସ୍ପି ବିଜି ମହାନ୍ତି ଶୁକ୍ରବାର ଗଣମାଧ୍ୟମକୁ କହିଛନ୍ତି। ଓଡିଶାରେ ତାଙ୍କର ମୂଲ୍ୟବାନ ଜମି, ହୋଟେଲ୍, ଫାର୍ମହାଉସ୍ ଆଦି କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାପଡିଛି। ତେବେ ଏସବୁ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଓଡ଼ିଶା ଜମାକାରୀ ସ୍ବାର୍ଥ ସୁରକ୍ଷା (ଓପିଆଇଡି) କୋର୍ଟକୁ ଜଣାଇବାକୁ ଇଓଡବ୍ଲ୍ୟୁ ପ୍ରସ୍ତୁତ ହେଉଛି। ସମ୍ପତ୍ତି ଜବତ ପରେ ଜମାକାରୀଙ୍କୁ ଟଙ୍କା ଫେରାଇବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଏସ୍ପି କହିଛନ୍ତି। ଅନ୍ୟପକ୍ଷରେ ଶନିବାର ଅଭିଯୁକ୍ତଙ୍କ ରିମାଣ୍ଡର ଅବଧି ସରିବାକୁ ଥିବାବେଳେ ଇଓଡବ୍ଲ୍ୟୁ ତାଙ୍କୁ କଟକର ଓପିଆଇଡି କୋର୍ଟରେ ହାଜର କରିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଅଭିଯୁକ୍ତ ମାଲ୍ଲା ବିଜୟ ପ୍ରସାଦ ୱେଲ୍ଫେୟାର ବିଲ୍ଡିଂ ଆଣ୍ଡ୍ ଇଷ୍ଟେଟ୍ ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀ ଖୋଲିଥିଲେ। ଜମାରାଶି ଉପରେ ଅଧିକ ରିଟର୍ନ ସହ ଭାଇଜାଗ୍ରେ ଶସ୍ତାରେ ଜମି ଯୋଗାଇଦେବାର ଲୋଭ ଦେଖାଇ ମାଲ୍ଲାଙ୍କ ସଂସ୍ଥା ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାର ଲୋକଙ୍କଠାରୁ ଟଙ୍କା ଆଦାୟ କରିଥିଲା। ନିର୍ଦ୍ଧାରିତ ସମୟରେ ଜମି ନ ମିଳିବାରୁ ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ନିକଟରେ ପ୍ରାୟ ୧୫୦ଟି ଅଭିଯୋଗ ହୋଇଥିଲା। ଇଓଡବ୍ଲ୍ୟୁ ବିଶାଖାପାଟଣାରୁ ମାଲ୍ଲା ବିଜୟଙ୍କୁ ଗିରଫ କରି ଗତ ୭ ତାରିଖରେ କଟକ ଓପିଆଇଡି କୋର୍ଟରେ ହାଜର କରାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ତେବେ ବିଜୟ ପ୍ରସାଦଙ୍କ ଠକେଇ ସଂକ୍ରାନ୍ତ ଅଧିକ ତଥ୍ୟ ହାସଲ କରିବାକୁ ଇଓଡବ୍ଲ୍ୟୁ ପକ୍ଷରୁ କୋର୍ଟରେ ୩ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା। କୋର୍ଟ ଅଭିଯୁକ୍ତଙ୍କୁ ୧୫ ତାରିଖ ଅପରାହ୍ନ ୪ଟାରୁ ୧୮ ତାରିଖ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ରିମାଣ୍ଡ ଅନୁମତି ପ୍ରଦାନ କରିଥିଲେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..