ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନବେ ଦଶକର ରାବଣଙ୍କର ଦେହାନ୍ତ ଘଟିଛି । ଛୋଟ ପରଦାରେ ପ୍ରସାରିତ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଅରବିନ୍ଦ ତ୍ରିବେଦୀ ଗତକାଲି ଆଖି ବୁଜିଛନ୍ତି। ୮୨ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ରୋଗଗ୍ରସ୍ତ ଥିଲେ। ହୃଦ୍ଘାତ କାରଣରୁ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି। ବୁଧବାର ମୁମ୍ବାଇର ଦହାନୁକରୱାଡି ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଅରବିନ୍ଦଙ୍କ ପୁତୁରା କୌସ୍ତୁଭ ତ୍ରିବେଦୀ ଏନେଇ ସୂଚନା ଦେଇଛନ୍ତି। ଅରବିନ୍ଦ ତ୍ରିବେଦୀ ରାମାନନ୍ଦ ସାଗରଙ୍କ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରୁଥିଲେ। ଉଚ୍ଚକୋଟୀର ଅଭିନୟ ଯୋଗୁଁ ସେ ଦର୍ଶକମାନଙ୍କ ମନରେ ନିଜ ଛାପ ଛାଡ଼ି ଯାଇଛନ୍ତି। ଏହାବାଦ ସେ ଟିଭି ଧାରାବାହିକ ‘ବିକ୍ରମ ବେତାଳ’ରେ ମଧ୍ୟ ସେ ଉଚ୍ଚ କୋଟିର ଅଭିନୟ କରିଥିଲେ। ଅରବିନ୍ଦ ତ୍ରିବେଦୀ ମଧ୍ୟପ୍ରଦେଶର ଉଜ୍ଜୟିନୀ ସହରରେ ଜନ୍ମଗ୍ରହଣ କରିଥିଲେ। ଗୁଜୁରାଟର ରଙ୍ଗମଞ୍ଚରୁ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲେ। ଏଥିପାଇଁ ସେ ବହୁବାର ପୁରସ୍କୃତ ମଧ୍ୟ ହୋଇଥିଲେ। ଅରବିନ୍ଦ ପ୍ରାୟ ୩୦୦ ହିନ୍ଦୀ ଏବଂ ଗୁଜୁରାଟୀ ଫିଲ୍ମରେ କାମ କରିଛନ୍ତି। ୨୦୦୨ରେ ସେ ସେଣ୍ଟ୍ରାଲ ବୋର୍ଡ ଫର ଫିଲ୍ମ ସାର୍ଟିଫିକେଶନର ଆକ୍ଟିଂ ଚେୟାରମ୍ୟାନ ହୋଇଥିଲେ। ୧୯୯୧ରେ ସେ ଭାରତୀୟ ଜନତା ପାର୍ଟିର ଟିକେଟ୍ରେ ସାଂସଦ ମଧ୍ୟ ହୋଇଥିଲେ। ତାଙ୍କ ଭାଇ ଉପେନ୍ଦ୍ର ତ୍ରିବେଦୀ ମଧ୍ୟ ଗୁଜୁରାଟୀ ସିନେମା ଜଗତର ଜଣେ ଚର୍ଚ୍ଚିତ ବ୍ୟକ୍ତି। କରୋନା ଲକ୍ଡାଉନ୍ ସମୟରେ ଛୋଟ ପରଦାରେ ରାମାୟଣ ପ୍ରସାରଣ କରାଯାଇଥିବା ବେଳେ ଏହାର କଳାକାରମାନେ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲେ। ଦୀର୍ଘ ଦିନ ଧରି ବେମାର ରହୁଥିବା ଅରବିନ୍ଦଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ସମୟରେ ଗୁଜବ ପ୍ରଚାର ହେଉଥିବା ବେଳେ ଏହାକୁ ତାଙ୍କ ପରିବାର ପକ୍ଷରୁ ଖଣ୍ଡନ କରାଯାଉଥିଲା। ଗତ ମେ’ ମାସରେ ଅରବିନ୍ଦ ଆଖି ବୁଜିଦେଇଥିବେ ପ୍ରଚାର ହୋଇଥିବା ବେଳେ ତାଙ୍କ ପୁତୁରା କୌସ୍ତୁଭ ଏହାକୁ ଖଣ୍ଡନ କରିଥିଲେ। ଏଥିସହ ମିଥ୍ୟା ଖବର ପ୍ରଚାର ନ କରିବାକୁ ଅନୁରୋଧ କରିଥିଲେ।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..